ଭୁବନେଶ୍ୱର : ରଥ ନିର୍ମାଣ ପାଇଁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଛି । ଆଜି ଏନେଇ ଚିଠି ଆସିଲା ପରେ ରଥ ନିର୍ମାଣ ନେଇ ଆଶା ବଢିଛି । କିନ୍ତୁ ବହୁ ବିଳମ୍ବ ହୋଇସାରିଥିବାରୁ ରଥ ନିର୍ମାଣ ଏବେ ମହାରଣାଙ୍କ ଉପରେ ନିର୍ଭର କରୁଛି । ରଥ ନିର୍ମାଣକୁ କେନ୍ଦ୍ର ଅନୁମତି ଦେଇଥିବା ବେଳେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । କେନ୍ଦ୍ରର ଅନୁମତି ମିଳିଲା ପରେ ବର୍ତମାନ ପ୍ରଶ୍ନ ଉଠୁଛି ରଥ ନିର୍ମାଣ ହୋଇପାରିବ କି ନାହିଁ । କାରଣ ମୁଖ୍ୟ ମହାରଣା ଗଣମାଧ୍ୟମକୁ କହିଥିଲେ, ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇସାରିଛି । ରୀତିନୀତି ଅନୁସାରେ, ଆଉ ରଥ ନିର୍ମାଣ କରିବା ସମ୍ଭବ ନୁହେଁ । ଏପ୍ରିଲ ୨୬ ତାରିଖ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା । ବର୍ତମାନସୁଦ୍ଧା ନିର୍ମାଣ କାର୍ଯ୍ୟ ଯଥାରୀତି ଆରମ୍ଭ ହୋଇନାହିଁ ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆସିଥିବା ଚିଠିରେ ରଥ ନିର୍ମାଣ ନେଇ କେତେକ ସର୍ତ ମଧ୍ୟ ରଖାଯାଇଛି । ନିର୍ମାଣ ସମୟରେ ଲକ ଡାଉନ ନେଇ ଜାରି ହୋଇଥିବା ସମସ୍ତ ଗାଇଡ ଲାଇନକୁ ପାଳନ କରିବାକୁ କୁହାଯାଇଛି । କିନ୍ତୁ ରଥଯାତ୍ରା ହେବ କି ନାହିଁ ଏ ନିଷ୍ପତ୍ତି କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ।
କରୋନା ଭାଇରସ ପାଇଁ ଲକ ଡାଉନ ଜାରି କରାଯାଇ ଧାର୍ମିୟ ଉତ୍ସବକୁ ନିଷେଧ କରାଯାଇଛି । ଫଳରେ ରଥଯାତ୍ରା ହେବ କି ନାହିଁ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ପ୍ରଥମେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖାଦେଇଥିଲା । ଏହା ଉପରେ ଶ୍ରୀମନ୍ଦିର କମିଟିର ବୈଠକ ବସିଥିଲା । କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା । ଶେଷରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯାଇଥିଲା । ବିଧି ପାଳନ କରିବାକୁ ଶଙ୍କରାଚାଯ୍ୟ ପରାମର୍ଶ ଦେଇଥିଲେ । ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର ଭିତରେ ବିଧି ପାଳନ ପାଇଁ ରଥ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ମେ ୩ ପଯ୍ୟନ୍ତ ଲକ ଡାଉନ ଅବଧି ଥିବାରୁ ତା ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ ଆସିବାକୁ ଅପେକ୍ଷା କରାଯାଇଥିଲା । କେନ୍ଦ୍ର ସରକାର ପୁଣି ଲକ ଡାଉନ ମେ ୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ । କିନ୍ତୁ କେତେକ କୋହଳ ନୀତି ଅବଲମ୍ବନ କଲେ । ହେଲେ ଧାର୍ମିୟ ଉତ୍ସବ ଉପରେ କଟକଣା ଜାରି ରଖିଲେ । ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ରଥ ନିର୍ମାଣ ପାଇଁ ନିଷ୍ପତି ନିଆଗଲା । ଏଥିରେ ପୁରୀ ଗଜପତି ଦିବ୍ୟସିଂହ ଦେବ କେନ୍ଦ୍ରୀୟ ନିୟମକୁ ତର୍ଜମା କରି ଜଣାଇଲେ ଯେ, ରଥ ନିର୍ମାଣ ଧାର୍ମିୟ କାର୍ଯ୍ୟ ହୋଇଥିଲେ ବି ଧାର୍ମିୟ ଉତ୍ସବ ନୁହେଁ । ଏଥିସହ ରଥ ନିର୍ମାଣ ହେଉଥିବା ରଥ ଖଳା ସର୍ବସାଧାରଣ ଯାତାୟାତର ରାସ୍ତା ନୁହଁ । ଏଣୁ ଲକ ଡାଉନ କଟକଣା ନିୟମକୁ ପାଳନ କରି ରଥ ନିର୍ମାଣ କରାଯାଇପାରିବ । ଏନେଇ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ବୋଲି କହିଥିଲେ । ରାଜ୍ୟ ସରକାର ଅନୁମତି ଦେବା ବଦଳରେ କେନ୍ଦ୍ରର ସରକାରଙ୍କ ମତାମତ ଲୋଡିଥିଲେ । କେନ୍ଦ୍ର ସରକାର ଆଜି ତାଙ୍କ ମତାମତ ଦେଇଛନ୍ତି । ଏଥିରେ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ଜୁନ ୨୩ରେ ରଥଯାତ୍ରା ଅଛି । ୨୨ ପୂର୍ବରୁ ସବୁ କାର୍ଯ୍ୟ ସରିବା କଥା । ଇତିମଧ୍ୟରେ ୧୩ ଦିନ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇସାରିଲାଣି । ଏଭଳି କ୍ଷେତ୍ରରେ ରଥ ନିର୍ମାଣ ସମ୍ଭବ ହୋଇପାରିବ କି ନାହିଁ ତାହା ମହାରଣାମାନଙ୍କ ଉପରେ ନିର୍ଭର କରୁଛି ।