ଭୁବନେଶ୍ୱର: ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ ଦ୍ୱାରା ଏକ ସମନ୍ୱିତ ଇନ୍ଗଟ୍-ୱେଫର ଏବଂ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପକୁ ଓଡ଼ିଶାର ଟାଟା ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏସ୍ଇଜେଡ୍)ରେ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ରାଜ୍ୟରେ ଏହା ପ୍ରଥମ ପ୍ରକାରର ସୌର ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ବିକଶିତ ହେବ। ଏହାର ସାମଗ୍ରିକ କ୍ଷମତା ୧୦ ଜିଡବ୍ଲ୍ୟୁ ଇନଗଟ୍-ୱେଫର ଏବଂ ୫ ଜିଡବ୍ଲ୍ୟୁ ସୌର ସେଲ୍ ଉତ୍ପାଦନ ହେବ। ପ୍ରାୟ ୧୦ ହଜାର କୋଟି ନିବେଶ ହେବ। ୫,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିରେ ଉଚ୍ଚ-ଦକ୍ଷତା-କୁଶଳୀ ନିଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ୩୪ ତମ ବୈଠକ ବସିଥିଲା। ଏଥିରେ ମୋଟ୍ ୮ଟି ବିଭାଗର ୧୧ଟି ପ୍ରସ୍ତାବରେ ମୋହର ବାଜିଛି। ତନ୍ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩ଟି, ଜଳସମ୍ପଦ ବିଭାଗର ୨ଟି, ଶିଳ୍ପ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ରାଜସ୍ୱ ଆଦି ବିଭାଗରେ ଗୋଟିଏ କରି ପ୍ରସ୍ତାବ ଅନ୍ତର୍ଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।
ସେ କହିଥିଲେ ଯେ ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡର ସମନ୍ୱିତ ସୌର ଉତ୍ପାଦନ ସୁବିଧାକୁ ଓଡ଼ିଶା କ୍ୟାବିନେଟ ଅନୁମୋଦନ କରିଛି। ଏଭଳି ଅକ୍ଷୟ ଶକ୍ତି ଉତ୍ପାଦନର ଅନୁକୂଳ ପରିବେଶ ସୃଷ୍ଟି କରି ଡାଉନ୍ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ନିବେଶକୁ ସୁଲଭ କରିବ। ସୌର ଶକ୍ତି ଉତ୍ପାଦନରେ ଓଡ଼ିଶା ଆତ୍ମ ନିର୍ଭର ହୋଇପାରିବ। ୨୦୩୦ ସୁଦ୍ଧା ୧୦୦ ଜିଡବ୍ଲ୍ୟୁ ଘରୋଇ ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ହାସଲ କରବାର ଭାରତର ଲକ୍ଷ୍ୟକୁ ସହଜ ମଧ୍ୟ କରିବ। ଏହା କାଚ, ରାସାୟନିକ ପଦାର୍ଥ, ପ୍ୟାକେଜିଂ, କ୍ଷେତ୍ରରେ ସହାୟକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହିତ ହାସଲ କରିବା ସହ ଟିକସ ରାଜସ୍ୱ ବୃଦ୍ଧି କରିବ। ଶ୍ରୀମତୀ ଗର୍ଗ କହିଥିଲେ ଟାଟା ପାୱାର ପୂର୍ବରୁ ଭାରତରେ ବଡ଼ ଧରଣର ସୌର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ କାର୍ଯ୍ୟ କରୁଥିବାରୁ ଏହି ପ୍ରକଳ୍ପ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଶିଳ୍ପ ନୀତିରେ ସ୍ଥିରତା ଏବଂ ସୁବିଧା ପ୍ରତି ନିବେଶକଙ୍କ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏହି ପ୍ରକଳ୍ପ ସବୁଜ ଶିଳ୍ପାୟନ, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ଏବଂ ଶିଳ୍ପ ବିବିଧତା ପାଇଁ ରାଜ୍ୟର ଦୃଷ୍ଟିକୋଣ ସହିତ ସୌହାର୍ଯ୍ୟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବା ସହ ଭାରତରେ ଅକ୍ଷୟ ଶକ୍ତି ଉପକରଣ ଉତ୍ପାଦନ ପାଇଁ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ସ୍ଥାନିତ କରିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।
ଜଳ ଜୀବନ ମିଶନ ଯୋଜନା; ଓଡ଼ିଶା ସରକାରଙ୍କୁ ଅନୁମତି
ଜଳ ଜୀବନ ମିଶନ ଯୋଜନାରେ ଧାର୍ଯ୍ୟ କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରୀମ ଭାବେ ରାଜ୍ୟ ସରକାର ବହନ କରି କେନ୍ଦ୍ରୀୟ ଅନୁଦାନ ଆସିଲା ପରେ ଭରଣା କରିବା ପାଇଁ ଓଡିଶା ସରକାରଙ୍କୁ ଅନୁମତି ଦେବା ସମ୍ବନ୍ଧୀୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଚାଲୁ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ସମାପ୍ତ କରି ସଂସ୍ଥା ଏବଂ ଠିକାଦାରମାନଙ୍କୁ କାର୍ଯ୍ୟ କରିବାରେ ଉତ୍ସାହିତ କରିବା, ପୂର୍ବରୁ ନିର୍ମାଣାଧୀନ ପ୍ରକଳ୍ପରେ ବିନିଯୋଗ ହୋଇଥିବା ଅର୍ଥକୁ ସୁରକ୍ଷା ଦେବା, ଅପରିହାର୍ଯ୍ୟ ଖର୍ଚ୍ଚର ବୃଦ୍ଧିକୁ ଏଡ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ହର ଘର ଜଳ ପ୍ରମାଣପତ୍ର ହାସଲ କରିବା, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସଠିକ ସମୟରେ ପାନୀୟଜଳ ଯୋଗାଇ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ହିଁ ଉକ୍ତ ବ୍ୟବସ୍ଥାର ଅଂଶ ବିଶେଷ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବରେ ଏକ ସାମୟିକ ଆର୍ôଥକ ବ୍ୟବସ୍ଥା। ଏହା କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଧାରିତ ଅର୍ଥ ପ୍ରାପ୍ତି ପରେ ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇପାରିବ।
ସରଳୀକରଣ ହେଲା ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟା
ଏଣିକି ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଭାରତୀୟ ଷ୍ଟାମ୍ପ୍ ଅଧିନିୟମ ୧୮୯୯ରେ ଉପଲବ୍ଧ ଥିବା ସିଡ୍ୟୁଲ-୧ ‘ଏ’ର ଆର୍ଟିକିଲ୍ ୨୩ ଅଧୀନରେ ଏକ ନୂଆ ଧାରା- ‘ଡି’ ଅନ୍ତଃସ୍ଥାପନ କରାଯାଇଛି। ଏହାଦ୍ୱାରା ବର୍ତ୍ତମାନ ସାଧାରଣ କ୍ଷେତ୍ର ଓ ସୁବିଧାଗୁଡିକର ପଞ୍ଜୀକରଣ ନିମନ୍ତେ ଆସୋସିଏସନ ଅଫ୍ ଆଲଟିଙ୍କୁ ଦଲୀଲ ପାଇଁ ୫୦,୦୦୦ ଟଙ୍କା ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧାଗୁଡିକର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡୁୁ୍ୟଟି ଆନୁପାତିକ ଭାବେ ଆଦାୟ ହେବ। ଶୁକ୍ରବାର କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଆପାର୍ଟମେଣ୍ଟ ୱନରସିପ୍ ଆଣ୍ଡ ମ୍ୟାନଜେମେଣ୍ଟ, ୨୦୨୩ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଆସୋସିଏସନ ଅଫ ଆଲଟିଙ୍କୁ ହସ୍ତାନ୍ତର କରିବା ବାଧ୍ୟତାମୂଳକ। ଏଥିପାଇଁ ଆସୋସିଏସନ ଅଫ୍ ଆଲଟିଙ୍କୁ ଦଲିଲ୍ ପାଇଁ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିଥାଏ। ତାହା ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଅଧିକ ଆର୍ôଥକ ଭାର ସୃଷ୍ଟି କରୁଥିଲା ଏବଂ ଆପାର୍ଟମେଣ୍ଟ ପଞ୍ଜିକରଣରେ ବାଧା ସୃଷ୍ଟି ହେଉଥିଲା। ଏବେ କ୍ୟାବିନେଟ୍ ଅନୁମୋଦନ ପରେ ସମସ୍ୟାର ସମାଧାନ ହୋଇଛି। ଆପାର୍ଟମଣ୍ଟେ କ୍ରେତା ଏହାର ସୁଫଳ ପାଇବେ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।









