କଟକ: : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । ପ୍ରତ୍ୟେକ ଜିଲ୍ଲାର ବ୍ଲକ ଅନୁଯାୟୀ ଥିବା ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ଚୟନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କରୋନା ଗାଇଡଲାଇନ ପାଳନ ହୋଇପାରୁଥିବା ସ୍ଥାନରେ ହିଁ ପରୀକ୍ଷା କେନ୍ଦ୍ର ଚୟନ କରିବାକୁ ଡିଇଓଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁ ବ୍ଲକରେ ପରୀକ୍ଷା କେନ୍ଦ୍ର କରାଯିବ ସେହି ବ୍ଲକର ଛାତ୍ରଛାତ୍ରୀ ଉକ୍ତ କେନ୍ଦ୍ରରେ ପରୀକ୍ଷା ଦେବାକୁ ଧାର୍ଯ୍ୟ କରାଯାଇଛି । ଏତଦବ୍ୟତୀତ ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଏବଂ ମହାନଗର ନିଗମ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ମଧ୍ୟ ସ୍ଥାନୀୟ ବ୍ଲକରେ ହୋଇଥିବା କେନ୍ଦ୍ରରେ ପରୀକ୍ଷା ଦେବେ ।
ଯଦି ସହରାଞ୍ଚଳରୁ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ହୁଅନ୍ତି ତାହାଲେ ସହରାଞ୍ଚଳରେ ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଗୋଟିଏ ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୨ଶହ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ଏକାଧିକ ଫାଟକ ଏବଂ ସୁବିଧା ଥିବ ତାହେଲେ ୨ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପ୍ରଥମତଃ ସବୁ ଆଦର୍ଶ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯିବ । ଯଦି ଅଧିକ ସଂଖ୍ୟକ ପରୀକ୍ଷାର୍ଥୀ ହୁଅନ୍ତି ତେବେ ଉକ୍ତ ବ୍ଲକରେ ଅବସ୍ଥିତ ହାଇସ୍କୁଲଗୁଡିକ ପରୀକ୍ଷା କେନ୍ଦ୍ର ଲାଗି ବିବେଚନା କରାଯିବ । ତେବେ ପରୀକ୍ଷା କେନ୍ଦ୍ର ଓ ବିଭିନ୍ନ ଶ୍ରେଣୀର ପରୀକ୍ଷାର୍ଥୀ ମାନଙ୍କ ତାଲିକା ମାଇକ୍ରୋସଫ୍ଟ ଏକ୍ସେଲ ଫାଇଲରେ ବୋର୍ଡକୁ ପଠାଇବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉକି, ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ସିଧାସଳଖ ପ୍ରବେଶ ଲାଗି ଏବଂ ସପ୍ତମ, ଅଷ୍ଟମ ଓ ନବମ ପିଲାଙ୍କର ଲେଟେରାଲ ଏଣ୍ଟ୍ରି ନିମନ୍ତେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।