ନୂଆଦିଲ୍ଲୀ : ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ମଶାଲ ସଙ୍କେତ ପ୍ରଦାନ କରାଯାଇଥିବାବେଳେ ଏହାକୁ ବିରୋଧ କରି ସମତା ପାର୍ଟି ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ତେବେ ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ଅଧ୍ୟକ୍ଷତାର ଗଠିତ ହାଇକୋର୍ଟ ଖଣ୍ଡପୀଠ ବୁଧବାର ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ୨୦୧୪ରେ ସମତା ପାର୍ଟିକୁ ନିର୍ବାଚନୀ ସଙ୍କେତ ସ୍ୱରୂପ ‘ମଶାଲ’ ଚିହ୍ନ ପ୍ରଦାନ କରାଯାଇଥିଲେ ସୁଦ୍ଧା ୨୦୦୪ରୁ ରାଜନୈତିକ ଦଳଭାବେ ଏହା ଇସିଙ୍କ ସ୍ୱୀକୃତି ହରାଇସାରିଛି ।
ଏହି ପରିପ୍ରେକ୍ଷୀରେ ମଶାଲ ଚିହ୍ନକୁ ଦାବି କରିବାର ଅଧିକାର ସମତା ପାର୍ଟିର ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଇଲେକ୍ସନ୍ ସିମ୍ବଲ ଅର୍ଡର ଆଇନର ଧାରା ୧୦(କ) ଅନୁଯାୟୀ ଯଦି କୌଣସି ଦଳ କ୍ରମାଗତ ଛଅବର୍ଷ ଇସିଙ୍କ ସ୍ୱୀକୃତି ହରାଇଥାନ୍ତି, ତେବେ ଏହି ଦଳ ପୂର୍ବରୁ ପାଇଥିବା ନିର୍ବାଚନୀ ସଙ୍କେତ ଦାବି କରିପାରିବେ ନାହିଁ ବୋଲି କୁହାଯାଇଛି । ପୁନଶ୍ଚ ୨୦୨୦ ଓ ୨୦୨୧ରେ ସମତା ପାର୍ଟି ଭିନ୍ନ ସଙ୍କେତରେ ନିର୍ବାଚନ ଲଢିସାରିଥିବାରୁ ବର୍ତ୍ତମାନ ପୁରୁଣା ସଙ୍କେତ ଦାବି କରିବା ଅଯୁକ୍ତିଯୁକ୍ତ ବୋଲି ଖଣ୍ଡପୀଠ କହିଛନ୍ତି ।