ଭୁବନେଶ୍ବର : ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ।
ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍ଦବା ଜୋର୍ ରହିଛି। ଜେଏମ୍ଏମ୍ରୁ କ୍ୟାରିୟର ଆରମ୍ଭ କରି ଜେଏମ୍ଏମ୍ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି।
ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।