ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ରେଙ୍ଗା ଗାଁର ନବ ବିବାହିତା ଦମ୍ପତିଙ୍କୁ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସଦର ଥାନା ପୁଲିସ ଗିରଫ କରିଛି । ଏହାପରେ ଘଟଣା ଭିନ୍ନ ମୋଡ଼ ନେଇଛି । ଏହା ଅପହରଣ ନଥିଲା, ବରଂ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଅପହରଣ ଷଡ଼ଯନ୍ତ୍ର ରଚାଯାଇଥିବା ପୁଲିସ କହିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଜୋଙ୍କ ଥାନା ପରକୋଡ଼ ଗାଁର ହୋମେଶ ଦଣ୍ଡସେନା(୨୨) । ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ହୋମେଶକୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ରେଙ୍ଗ ଗାଁର ରମେଶ ରଣା(୨୫)ଙ୍କ ବିବାହ ସମ୍ପନ୍ନ ହୋଇଥିଲା । ୨୧ ତାରିଖରେ ତାଙ୍କ ସ୍ତ୍ରୀ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିବା ପ୍ରକାଶ କରିବା ସହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ରମେଶଙ୍କୁ କହିଥିଲେ । ସ୍ୱାମୀସ୍ତ୍ରୀ ଏକ ବାଇକ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ।
ସେଠାରେ ସ୍ତ୍ରୀ ଖରିଆର ରୋଡରେ ଚିକିତ୍ସା କରିବାକୁ କହିବାରୁ ଉଭୟ ଖରିଆର ରୋଡ୍ ଅଭିମୁଖେ ଯାଇଥିଲେ । ସିଲ୍ଦା ଛକ ନିକଟରେ ପରକୋଡ ଗାଁର ହୋମେଶ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକାଇ ଲିଫ୍ଟ୍ ମାଗିଥିଲେ । କଥାରେ ଫୁସୁଲେଇ ହୋମେଶ ଦୁହିଁଙ୍କୁ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନକୁ ନେଇଯାଇଥିଲେ । ସେଠାରୁ ରାୟପୁର, ଦୁର୍ଗ ଓ ନାଗପୁରକୁ ନେଇ ଯାଇଥିଲେ । ୨୨ ତାରିଖ ସନ୍ଧ୍ୟାରେ ସ୍ୱାମୀ, ସ୍ତ୍ରୀ ସହ ହୋମେଶ ନାଗପୁର ଓ ଦୁର୍ଗ ମଧ୍ୟସ୍ଥ ନାଗପୁରା ନିକଟକୁ ଆସିଥିଲେ । ସେଠାରେ ହୋମେଶଙ୍କର କିଛି ସାଙ୍ଗ ଆସି ରମେଶଙ୍କୁ ମାଡ଼ ମାରି ନବ ବିବାହିତାଙ୍କୁ ଅପହରଣ କରି ନେଇଥିଲେ । ରମେଶ ବହୁ କଷ୍ଟରେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଫେରାର ହୋଇଯାଇଥିଲେ । ରାତିରେ ନାଗପୁରାର ଏକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ୨୩ ତାରିଖ ତାଙ୍କୁ ସେଠାରୁ ଉଦ୍ଧାର କରି ଆଣି ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାର ୨ ଦିନ ପରେ ତାଙ୍କ ସ୍ତ୍ରୀଙ୍କୁ ପୁଲିସ ଉଦ୍ଧାର କରି କୋମନା ଆଣିଥିଲା ।
ହେଲେ ସ୍ତ୍ରୀ କିଛି ନ କହିବାରୁ ତାଙ୍କୁ କୋମନା ସ୍ୱଧାର ଗୃହରେ ରଖିଥିଲେ । ଏବେ ସେ ସେଠାରୁ ମଧ୍ୟ ଫେରାର ଅଛନ୍ତି । ଏନେଇ ସଦର ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ସଦର ପୁଲିସ ଖରିଆରରୋଡ ସହରରେ ଚଢ଼ଉ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋମେଶଙ୍କୁ ଗିରଫ କରିଛି । ଏନେଇ ଅଧିକ ତଦନ୍ତ କରି ସନ୍ଧ୍ୟାରେ ପୁଲିସ ହୋମେଶଙ୍କୁ କୋର୍ଟଚାଲାଣ କରିଥିଲା । ତାଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଚି । ପୂର୍ବରୁ ଅଭିଯୁକ୍ତ ହୋମେଶ ଓ ମହିଳାଙ୍କ ପ୍ରେମ ସମ୍ପର୍କ ରହିଥିଲା । ଏଣୁ ନବବିବାହିତ ରମେଶଙ୍କ ସହ ବିବାହକୁ ଗ୍ରହଣ କରିପାରି ନଥିଲେ ।