ନୂଆଦିଲ୍ଲୀ: ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ଆଉ ନିଜ ବୁଥ୍କୁ ଆଉ ଆସିବାକୁ ପଡ଼ିବ ନାହିଁ । ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ । ଏପରି ଏକ ଇଭିଏମ୍ ନିର୍ମାଣ ହୋଇଛି । ଯାହାକୁ ମଲ୍ଟି କନ୍ଷ୍ଟିଚୁଏନ୍ସି ରିମୋଟ୍ ଇଲେକଟ୍ରୋନିକ୍ ଭୋଟିଂ ମେସିନ ବା ଆର୍ଭିଏମ୍ କୁହାଯାଉଛି । ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ । ଗୋଟିଏ ରିମୋଟ୍ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଏହା ଉପରେ ଆଲୋଚନା କରିବାକୁ ନିର୍ବାଚନ କମିଶନ ଆସନ୍ତା ଜାନୁଆରୀ ୧୬ ତାରିଖରେ ସବୁ ରାଜନୈତିକ ଦଳ ଗୁଡ଼ିକର ଏକ ବୈଠକ ଡାକିଛନ୍ତି । ନୂଆ ଆର୍ଭିଏମ୍ କେମିତି କାମ କରୁଛି, ତାହା ରାଜନୈତିକ ଦଳ ଗୁଡ଼ିକୁ ପ୍ରଦର୍ଶନ କରାଯିବ । ସେମାନଙ୍କର ମତାମତ ଗ୍ରହଣ କରାଯିବ । ଏହାପରେ ଏହି ନୂଆ ପ୍ରକାର ଆର୍ଭିଏମ୍କୁ ନିର୍ବାଚନରେ ବ୍ୟବହାର କରାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ ବୋଲି ବୋଲି ନିର୍ବାଚନ କମିଶନ କହିଛନ୍ତି ।