ନୂଆଦିଲ୍ଲୀ: ଯେଉଁମାନଙ୍କୁ ହାଇ ବ୍ଲଡ ପ୍ରେସର ରହିଛି ସେମାନଙ୍କୁ ଷ୍ଟ୍ରୋକ୍ ଆସିବାର ଆଶଙ୍କା ରହିଥାଏ ବୋଲି ଡାକ୍ତରମାନେ କହିଥିଲେ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନଙ୍କର ଲୋ ବ୍ଲଡ ପ୍ରେସର ରହିଛି ସେମାନଙ୍କୁ ମଧ୍ୟ ଷ୍ଟ୍ରୋକ୍ ହୋଇପାରେ । ବାଷ୍ଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନରେ ଏହି ରିସର୍ଚ୍ଚ କରାଯାଇଥିଲା । ଗବେଷକଙ୍କ ମୁତାବିକ, ଲୋ ବ୍ଲଡ଼ପ୍ରେସରରେ ପୀଡିତ ୧୦ ପ୍ରତିଶତ ରୋଗୀଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି ।
ଲୋ ବ୍ଲଡ଼ପ୍ରେସର ଓ ଷ୍ଟ୍ରୋକ୍ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଇବାକୁ ବୈଜ୍ଞାନିକମାନେ ୩୦,୦୦୦ ବୃଦ୍ଧଙ୍କ ଉପରେ ଏକ ଅଧ୍ୟୟନ କରିଥିଲେ, ଯେଉଁମାନେ ଇସକେମିକ୍ ଷ୍ଟ୍ରୋକରେ ପୀଡିତ ଥିଲେ । ସେମାନଙ୍କୁ ୧୮ ମାସ ପୂର୍ବରୁ ଷ୍ଟ୍ରୋକ୍ ଆସିଥିଲା । ସେମାନଙ୍କର ସ୍ୱାସ୍ଥ୍ୟଗତ ଡାଟା ସୂଚିତ କରୁଛି ଯେ, ଯେଉଁ ରୋଗୀମାନେ ଧୂମପାନ କରୁଥିଲେ, ହୃଦଘାତରେ ପୀଡିତ କିମ୍ବା କ୍ୟାନ୍ସର ରୋଗରେ ପୀଡିତମାନଙ୍କୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥିଲା । ରିସର୍ଚ୍ଚ ତଥ୍ୟରୁ ଜଣାପଡିଛି ଯେ କେବଳ ହାଇ ବ୍ଲଡପ୍ରେସର ନୁହେଁ, ଲୋ ବ୍ଲଡ ପ୍ରେସର ମଧ୍ୟ ଷ୍ଟ୍ରୋକ ସୃଷ୍ଟି କରିପାରେ ।