ମୁମ୍ବାଇ: ବିଜେପି ରାଷ୍ଟ୍ରୀୟ ସମ୍ପାଦକ ପଙ୍କଜା ମୁଣ୍ଡେ କଂଗ୍ରେସରେ ସାମିଲ ହେବା ଖବରକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ପଙ୍କଜା ବିଜେପି ଛାଡ଼ିବେ ଏବଂ କଂଗ୍ରେସ ନେତାଙ୍କୁ ଭେଟିଥିବା ଜୋରଦାର ଚର୍ଚ୍ଚା ଚାଲିଥିଲା । ଏହା ଉପରେ ପଙ୍କଜା କହିଛନ୍ତି, ସେ କେବେ ବି ରାହୁଲ ଗାନ୍ଧୀ କିମ୍ବା ସୋନିଆ ଗାନ୍ଧୀଙ୍କୁ ଭେଟିନାହାନ୍ତି । ଏପରିକି ଆଜି ପର୍ଯ୍ୟନ୍ତ ଦୁହିଁଙ୍କୁ ସାମ୍ନାରୁ ଦେଖିନାହାନ୍ତି । ପଙ୍କଜା କହିଛନ୍ତି, ଯିଏ ବି ଏହି ଖବର ପ୍ରସାରିତ କରୁଛି, ସେ ସମୁ ଜାଲ୍ । ମିଥ୍ୟା ଖବର ପ୍ରସାରିତ କରିଥିବା ଚ୍ୟାନେଲ୍ ବିରୋଧରେ ସେ ମାନହାନି କେସ୍ କରିବେ ବୋଲି ମଧ୍ୟ କହିଛନ୍ତି ।
ପ୍ରଶ୍ନଚିହ୍ନ ଲଗାଇ ମିଡିଆ ଚ୍ୟାନେଲ୍ କାହାର କ୍ୟାରିୟର୍ ଶେଷ ନକରନ୍ତୁ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପଙ୍କଜା କହିଛନ୍ତି । ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେ ଆହୁରି କହିଛନ୍ତି, ମୋର ବୟାନର ଗୋଟିଏ ଅଂଶ ଦେଖାଇ ମୋ ଛବି ଖରାପ କରିବାକୁ ଉଦ୍ୟମ କରାଯାଉଛି । ଏହା ସହିତ ତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଯାଉଛି । ମୁଣ୍ଡେ କହିଛନ୍ତି, ମୁଁ କୌଣସି ପାର୍ଟିର ନେତାଙ୍କୁ ଭେଟି ତାଙ୍କ ପାର୍ଟିରେ ଯୋଗଦେବା ସମ୍ପର୍କରେ କଥାବାର୍ତ୍ତା କରିନାହିଁ । ଯେଉଁ ଚ୍ୟାନେଲ୍ ଏହି ଖବର ପ୍ରସାରିତ କରିଛି ତାକୁ ମାନହାନି ନୋଟିସ୍ ପଠାଇବି । ସେ ଆହୁରି କହିଛନ୍ତି, ମୋତେ ବିଧାନ ପରିଷଦ ପାଇଁ ଫର୍ମ ପୂରଣ କରିବାକୁ କୁହାଯାଇଥିଲା ଏବଂ ଫର୍ମ ପୂରଣ କରିବାର ୧୦ ମିନିଟ୍ ପରେ ମନା କରିଦିଆଯାଇଥିଲା । ପାର୍ଟିର ଏହି ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କରିଛି । ସେ ଆହୁରି କହିଛନ୍ତି, ୨୦ ବର୍ଷର ରାଜନୈତିକ କ୍ୟାରିୟର୍ରେ କେବେ ବି ଛୁଟି ନେଇନାହିଁ । ମାତ୍ର ଏବେ ଲାଗୁଛି ଗୋଟିଏ କିମ୍ବା ଦୁଇଟି ମାସ ଛୁଟିରେ ଯିବା ଆବଶ୍ୟକ ।