ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ କରୁଥିଲେ ସାବଧାନ । ଆପଣ ହୋଇପାରନ୍ତି ସାଇବର୍ ଠକେଇର ଶିକାର । ତେଣୁ ସର୍ବସାଧାରଣରେ ମୋବାଇଲ ଫୋନ୍ ଚାର୍ଜ ନ କରିବାକୁ ପରାମର୍ଶ ଦେଇଛି ପୁଲିସ । ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟର ମାଧ୍ୟମରେ ସତର୍କତା ସୂଚନା ଜାରି କରାଯାଇଛି । ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ସଚେତନତା ବାର୍ତ୍ତା ଦେଇଛି ପୁଲିସ । ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନ କରିବାକୁ ପୁଲିସ ଲୋକଙ୍କୁ କହିଛି ।
ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ କିମ୍ୱା ବିଭିନ୍ନ ମଲ ଓ ସର୍ବସାଧାରଣ ସ୍ଥାନରେ ଥିବା ୟୁଏସ୍ବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ୍ କରି ସର୍ତକ କରାଇଛି ଓଡ଼ିଶା ପୁଲିସ । ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ଚୋରି କରି ନେଇଯିବାର ଅନେକ ସମ୍ଭାବନା ରହିଛି । ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସାଇବର ଠକ ସବୁ ଡାଟା ନେଇଯାଇପାରନ୍ତି ବୋଲି ପୁଲିସ କହିଛି । ତେଣୁ ଏଥିପ୍ରତି ସଚେତନ ହେବା ନିହାତି ଜରୁରୀ, ନଚେତ ଆପଣଙ୍କର ମୋବାଇଲରୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଚୋରି ହେବା ସହ ଅପବ୍ୟବହାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।