ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା । ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ଏହି ମର୍ମରେ ବିଭାଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି ।
ଶ୍ରୀ ସେଠୀଙ୍କର ଦୀର୍ଘବର୍ଷ ଧରି ବିଭାଗୀୟ କାର୍ଯ୍ୟାଭିଜ୍ଞତା ରହିଛି । ବିଦାୟୀ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କୁ ଏହି ଅବସରରେ ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ୍ କଟକଣା ମଧ୍ୟରେ ଲୋକସମ୍ପର୍କ ଭବନରେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ନିର୍ଦ୍ଦେଶକ( ବୈଷୟିକ) ଶ୍ରୀ ସେଠୀ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀର ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।