କଟକ: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲିଂ (ଏନ୍ଆଇଓଏସ୍)ର ସାର୍ଟିଫିକେଟ୍କୁ ଓଡ଼ିଶା ସରକାରୀ ଚାକିରିରେ ସପ୍ତମ ଓ ଦଶମ ଶ୍ରେଣୀ ସ୍ତରରେ ଓଡ଼ିଆ ଭାଷା ପରୀକ୍ଷାର ବୈଧ ଭାବେ ଗ୍ରହଣ କରାଯିବ । ଏସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି ହାଇକୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଓଡ଼ିଆ ଭାଷା ପ୍ରମାଣପତ୍ର ସହ ଏନ୍ଆଇଓଏସ୍ର ଓଡ଼ିଆ ଭାଷା ପ୍ରମାଣପତ୍ର ସମକକ୍ଷ ବୋଲି ହାଇକୋର୍ଟର ବଚାରପତି ବିରଜା ପ୍ରସନ୍ନ ଶତପଥୀ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ମାମଲାର ବିବିରଣିରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲା ଜଟଣୀ ମଧୁସୂଦନ ନଗରର ସଞ୍ଜିବ କୁମାର ସାହୁ ୨୦୨୧ ଜୁଲାଇ ମାସରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବିଜ୍ଞପିତ ଆସିଷ୍ଟାଣ୍ଟ୍ ପବ୍ଲିକ ପ୍ରସିକ୍ୟୁଟର (ଗ୍ରୁପ-ବି) ପଦବୀ ନିମନ୍ତେ ଆବେଦନ କରିଥିଲା ବେଳେ ସେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ପରେ ଇଣ୍ଟରଭ୍ୟୁ ନିମନ୍ତେ ସାର୍ଟିଫିକେଟ ଯାଞ୍ଚ କରିବାକୁ ତାଙ୍କୁ ଡକାଯାଇଥିଲା ।
ମାତ୍ର ଯାଞ୍ଚ ସମୟରେ ଓଡ଼ିଆଭାଷା ପରୀକ୍ଷାର ଏନ୍ଆଇଓଏସ୍ ସାର୍ଟିଫିକେଟକୁ ଅଧିକାରୀମାନେ ଅଗ୍ରାହ୍ୟ କରିଦେଇଥିଲେ । ଏହା ବିରୋଧରେ ସଞ୍ଜିବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର ଶେଷହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କ ନିମନ୍ତେ ଏକ ପଦବୀ ସଂରକ୍ଷିତ ରଖିବାକୁ ଓପିଏସ୍ସିକୁ ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଥିଲେ । ଏଥିସହ ଆଗାମୀ ୨ ମାସ ମଧ୍ୟରେ ଇଣ୍ଟରଭ୍ୟୁ ଶେଷ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ଦର୍ଶାଇଥିଲେ । ସୂଚନାଯୋଗ୍ୟ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲିଂ ଭାରତ ସରକାରଙ୍କ ଅଧିନସ୍ଥ ଏକ ଜାତୀୟସ୍ତରୀୟ ସ୍ୱୟଂଶାସିତ ସଂସ୍ଥା । ହାଇକୋର୍ଟଙ୍କ ଏହି ରାୟ ବଳରେ ଓଡ଼ିଶା ବାହାରେ ରହି ଓଡ଼ିଆ ବିଷୟ ପଢ଼ିନଥିବା ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ । ସେମାନେ ଓଡ଼ିଶାକୁ ଆସି ଏଠାକାର ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ଦେବା ନିମନ୍ତେ ସାମ୍ନା କରୁଥିବା ଅସୁବିଧା ଦୂର ହୋଇପାରିବ । ଏଣିକି ରାଜ୍ୟ ବାହାରେ ରହି ବର୍ଷକୁ ୨ ଥର ହେଉଥିବା ଏହି ପରୀକ୍ଷା ଦେଇ ଓଡ଼ିଶାରେ ସରକାରୀ ଚାକିରି ନିମନ୍ତେ ପାର୍ଥୀମାନେ ଓଡ଼ିଆ ପ୍ରମାଣପତ୍ର ହାସଲ କରିପାରିବେ ।