27.1 C
Bhubaneswar
Saturday, July 6, 2024
Homeଖେଳଇନିଂସ ବିଜୟ ସହ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ୍‌

ଇନିଂସ ବିଜୟ ସହ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ୍‌

ୱେଲିଂଟନ: ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍‌କୁ ୨-୦ରେ ପୋଛିନେଇଛି ଘରୋଇ ନ୍ୟୁଜିଲାଣ୍ଡ୍ । ପ୍ରଥମ ଟେଷ୍ଟ୍‌କୁ ଅନ୍ତିମ ବଲ୍‌ରେ ରୋମାଞ୍ଚକର ସ୍ଥିତିରେ ଜିତିଥିବା ନ୍ୟୁଜିଲାଣ୍ଡ୍ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍‌ରେ ଏକ ଇନିଂସ ଓ ୫୮ ରନ୍‌ରେ ବିଜୟୀ ହୋଇ ଏହି ସଫଳତା ପାଇଛି । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ୍ ୪ ୱିକେଟ୍ ବିନିମୟରେ ବୃହତ୍ ୫୮୦ ରନ୍ କରି ପାଳି ଘୋଷଣା କରିବା ପରେ ଭ୍ରମଣକାରୀ ଶ୍ରୀଲଙ୍କା ମାତ୍ର ୧୬୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ଫଲୋଅନ୍ ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ରେ ୧୧୩ ରନ୍ କରିଥିଲା । ଏହିଠାରୁ ଦଳ ଚତୁର୍ଥ ଦିନର ଖେଳ ଆରମ୍ଭ କରି ୩୫୮ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ନ୍ୟୁଜିଲାଣ୍ଡ୍ ସହଜ ବିଜୟ ହାସଲ କରିଥିଲା । କ୍ୟାରିଅର୍‌ର ପ୍ରଥମ ଦ୍ୱିଶତକ ଅର୍ଜନ କରିଥିବା ନ୍ୟୁଜିଲାଣ୍ଡ୍ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ହେନ୍‌ରୀ ନିକୋଲ୍ସ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ଅନ୍ୟତମ ଦ୍ୱିଶତକ ସ୍କୋରର୍ କେନ୍ ୱିଲିଅମ୍‌ସନ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି ।

ସୋମବାର ସକାଳୁ ଶ୍ରୀଲଙ୍କାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ କୁସାଲ୍ ମେଣ୍ଡିସ୍ (୫୦) ଓ ଆଞ୍ଜେଲୋ ମାଥ୍ୟୁସ୍ (୧) ଖେଳ ଆରମ୍ଭ କରିଥିଲେ । ତେବେ ପୂର୍ବଦିନର ବ୍ୟକ୍ତିଗତ ସ୍କୋର୍‌ରେ କିଛି ବି ଯୋଡ଼ିବା ପୂର୍ବରୁ ମେଣ୍ଡିସ୍ ଆଉଟ୍ ହୋଇଥିଲେ । ପରେ ପରେ ମାଥ୍ୟୁସ୍ ମାତ୍ର ୨ ରନ୍‌ରେ ବିଦାୟ ନେଇଥିଲେ । ଏହି ସମୟରେ ଦୀନେଶ ଚାଣ୍ଡିମାଲ୍ ଓ ଧନଞ୍ଜୟ ଡି’ସିଲ୍‌ଭାଙ୍କ ମଧ୍ୟରେ ଶତକୀୟ ଭାଗୀଦାରୀ ହୋଇଥିଲା । ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ଚାଣ୍ଡିମାଲ୍ ୮ଟି ଚୌକା ଜରିଆରେ ୬୨ ରନ୍ କରିଥିବା ସମୟରେ ଆଉଟ୍ ହୋଇଥିଲେ । ଫଳରେ ସେମାନଙ୍କ ମଧ୍ୟରେ ହୋଇଥିବା ୧୨୬ ରନ୍‌ର ଭାଗୀଦାରୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । କିନ୍ତୁ ଧନଞ୍ଜୟ ତାଙ୍କ ବ୍ୟାଟିଂ ଜାରି ରଖି ଶତକ ନିକଟତର ହୋଇଥିଲେ । ସେ ଷଷ୍ଠ ୱିକେଟ୍‌ରେ ନିଶାନ୍ ମଦୁଷ୍କାଙ୍କ ସହ ୭୬ ରନ୍‌ର ଭାଗୀଦାରୀ କରିବା ଫଳରେ ଦଳୀୟ ସ୍କୋର୍ ୩ ଶହ ଅତିକ୍ରମ କରିଥିଲା ।

ଏହି ଭାଗୀଦାରୀରେ ମଦୁଷ୍କାଙ୍କ ଅବଦାନ ୩୯ ରନ୍ ଥିଲା, ଯେଉଁଥିରେ ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ପରବର୍ତ୍ତୀ ଓଭର୍‌ରେ ଧନଞ୍ଜୟ ମଧ୍ୟ ଆଉଟ୍ ହେବାରୁ ଅଳ୍ପକେ ନିଜର ଦଶମ ଶତକରୁ ବଞ୍ଚିତ ହୋଇଥିଲେ । ସେ ୧୨ଟି ଚୌକା ଓ ଗୋଟିଏ ଛକା ସହ ୯୮ ରନ୍ କରିଥିଲେ । ଏହାପରେ କାସୁନ୍ ରଜିତା ଗୋଟିଏ ଚୌକା ସହ ୨୦, ପ୍ରବତ୍ ଜୟସୂରିୟା ୨ ଓ ଲାହିରୁ କୁମାରା ଗୋଟିଏ ଚୌକା ସହ ୭ ରନ୍ କରିଥିବା ବେଳେ ଅସିତା ଫର୍ଣ୍ଣାଣ୍ଡୋ ବିନା କୌଣସି ରନ୍‌ରେ ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଅଧିନାୟକ ଟମ୍ ସାଉଦି ଓ ବ୍ଲେୟାର୍ ଟିକ୍‌ନର୍ ୩ଟି ଲେଖାଏଁ, ମାଇକେଲ୍ ବ୍ରେସ୍‌ୱେଲ୍ ୨ଟି ଏବଂ ମ୍ୟାଟ୍ ହେନ୍‌ରୀ ଓ ଡଗ୍ ବ୍ରେସ୍‌ୱେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦୁଇ ଦଳ ମଧ୍ୟରେ ଆସନ୍ତା ୨୫ରୁ ଅକ୍‌ଲାଣ୍ଡ୍‌ଠାରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking