ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟ ନୂଆବର୍ଷ ପାଳନ ଉପରେ କଟକଣା ଲାଗିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ଥର ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନ ହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କେବଳ ଅନ୍ଲାଇନ୍ ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଚା ଜଣାଇବାକୁ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି । କୌଣସି ଅଫିସରେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର ।
ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତାଡ଼ା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର । କେବଳ ସରକାରୀ ଅଫିସ ନୁହେଁ ବରଂ ଓମିକ୍ରନର ମୁକାବିଲା ପାଇଁ ସାଧାରଣ ଲୋକଙ୍କ ପାଇଁ ଅନେକ ଗୁଡିଏ କଟକଣା ଜାରି କରିଛନ୍ତି ସରକାର । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହୋଟେଲ ଓ ମଣ୍ଡପରେ ନୂଆବର୍ଷ ପାଳନ ଉପରେ ରୋକ୍ ଲାଗିଛି । ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।