ନୂଆଦିଲ୍ଲୀ: ବଦଳିଲା ତତ୍କାଳ ଟିକେଟ୍ ନିୟମ । ଜୁଲାଇ ୧ରୁ ଲାଗୁ ହେବ ଏହି ନୂଆ ନିୟମ । ଏଣିକି କେବଳ ଆଧାର ଥିବା ବ୍ୟବହାରକାରୀ ଜୁଲାଇ ୧ରୁ ଆଇଆରସିଟିସି ୱେବସାଇଟ୍ ଏବଂ ଆପ୍ରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ । ଏହାର ଅର୍ଥ ତତ୍କାଳ ଟିକଟ ବୁକିଂ ପାଇଁ ଆଧାର ଓଟିପିକୁ ବାଧ୍ୟତାମୂଳକ କରାଯାଇଛି । ନୂଆ ନିୟମ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀ ବୈଷ୍ଣବ କହିଛନ୍ତି, ତତ୍କାଳ ଟିକେଟିଂ ବ୍ୟବସ୍ଥାକୁ ସୁଲଭ ଏବଂ ସ୍ୱଚ୍ଛ କରିବା ଏବଂ ପ୍ରକୃତ ଯାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରିଛି । ଏହି ପରିବର୍ତ୍ତନଗୁଡ଼ିକ ବ୍ୟବହାରକାରୀଙ୍କ ପ୍ରାମାଣିକତାକୁ ବୃଦ୍ଧି ଏବଂ ଯୋଜନାର ଅପବ୍ୟବହାରକୁ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ ।
ସିଆରଆଇଏସ ଏବଂ ଆଇଆରସିଟିସିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଆଣନ୍ତୁ ଏବଂ ସେହି ଅନୁଯାୟୀ ସମସ୍ତ କ୍ଷେତ୍ରୀୟ ରେଳବାଇ ଏବଂ ସମ୍ପୃକ୍ତ ବିଭାଗକୁ ଅବଗତ କରାନ୍ତୁ । ପିଆରଏସ୍ କାଉଣ୍ଟରରେ ଏବଂ ପ୍ରାଧିକୃତ ଏଜେଣ୍ଟମାନଙ୍କ ମାଧ୍ୟମରେ ବୁକ୍ କରାଯାଇଥିବା ତତ୍କାଳ ଟିକେଟ୍ ବୁକିଂ ସମୟରେ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୋବାଇଲ୍ ନମ୍ବରକୁ ପଠାଯାଇଥିବା ଓଟିପି ଆବଶ୍ୟକ । ଏହି ବ୍ୟବସ୍ଥା ମଧ୍ୟ ୧୫ ଜୁଲାଇ ୨୦୨୫ରୁ କାର୍ଯ୍ୟକାରୀ ହେବ । ଏସି ପାଇଁ ଏହି ପ୍ରତିବନ୍ଧକ ପୂର୍ବାହ୍ନ ୧୦.୦୦ ରୁ ୧୦.୩୦ ପର୍ଯ୍ୟନ୍ତ ଏବଂ ନନଏସି ପାଇଁ ପୂର୍ବାହ୍ନ ୧୧.୦୦ ରୁ ୧୧.୩୦ ଯାଏଁ ଉଦ୍ଦିଷ୍ଟ ରହିବ । ରେଳ ମନ୍ତ୍ରଣାଳୟ ସମସ୍ତ ଯାତ୍ରୀଙ୍କୁ ଏହି ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛି ଏବଂ ଅସୁବିଧାକୁ ଏଡ଼ାଇବା ପାଇଁ ସମସ୍ତଙ୍କୁ ସେମାନଙ୍କ ଆଇଆରସିଟିସି ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ସହିତ ଆଧାର ସଂଯୋଗ ନିଶ୍ଚିତ କରିବାକୁ ଉତ୍ସାହିତ କରୁଛି । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଏଣିକି ଆଉ ୪ ଘଣ୍ଟା ନୁହଁ, ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିଯିବ । ଏଭଳି ଏକ ଯୋଜନା ଉପରେ ଭାରତୀୟ ରେଳ ଏବେ କାମ କରୁଛି । ତେବେ ଏହାକୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜସ୍ଥାନର ବିକାନିର ଡିଭିଜନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଗୁ କରାଯିବ ।