ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସ ଓଟିଟି ପ୍ଲାଟଫର୍ମରେ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଭାରତରୁ ପଳାୟନ କରିଥିବା ମେହୁଲ ଚୋକ୍ସି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ‘ବ୍ୟାଡ୍ ବୟ ବିଲିଏନୟାର୍ସ’ ନାମକ ଏହି ଡକୁମେଣ୍ଟାରୀ ଚଳଚ୍ଚିତ୍ରର ପ୍ରି-ସ୍କ୍ରିନିଂକୁ ଆପତ୍ତି କରି ଚୋକ୍ସି ଏହି ପିଟିସନ ଦାଏର କରିଛନ୍ତି ।
ତେବେ ଚୋକ୍ସି ଭାରତୀୟ ନାଗରିକ ହୋଇନଥିବା, ବର୍ତ୍ତମାନ ଭାରତରେ ଅବସ୍ଥାନ କରୁନଥିବା ସହ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ଥିବାରୁ ବର୍ତ୍ତମାନ ଏହାର ଶୁଣାଣି ଅସମ୍ଭବ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହିତ ଶୁଣାଣି ପୂର୍ବରୁ ମାମଲା ପରିଚାଳନା ବାବଦରେ ୨ ଲକ୍ଷ ଟଙ୍କା ଜମା କରିବାକୁ ମଧ୍ୟ ଚୋକ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪କୁ ଧାର୍ଯ୍ୟ କରାଯାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଘଟିଥିବା ୧୩,୫୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିଯୁକ୍ତ ଚୋକ୍ସି ୨୦୧୯ରେ ଭାରତରୁ ପଳାଇ ଆଣ୍ଟିଗ୍ୱାରେ ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି ।