ନୂଆଦିଲ୍ଲୀ: ଏଠାରେ ଚାଲିଥିବା ୱାର୍ଲ୍ଡ ମହିଳା ବକ୍ସିଂ ଚାମ୍ପିଅନ୍ଶିପ୍ରେ ଭାରତୀୟ ପ୍ରତିଯୋଗୀଙ୍କ ଦବ୍ଦବା କାଏମ ରହିଛି । ମଙ୍ଗଳବାର ୪୮ କିଗ୍ରା ଓଜନ ବର୍ଗରେ ନୀତୁ ଗାଙ୍ଘାସ୍ ଓ ୫୭ କିଗ୍ରା ଓଜନ ବର୍ଗରେ ମନୀଷା ମୌନ୍ କ୍ୱାର୍ଟର୍ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ଉଭୟ ପ୍ରତିଯୋଗୀ ସେମାନଙ୍କ ପ୍ରିକ୍ୱାର୍ଟର୍ ମୁକାବିଲାରେ ଆର୍ଏସ୍ସି ଭିତ୍ତିରେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ନୀତୁ ରାଉଣ୍ଡ୍-୧୬ ମ୍ୟାଚ୍ରେ ତାଜିକିସ୍ତାନର ସୁମୈୟା କୋସିମୋଭାଙ୍କୁ ହରାଇଥିବା ବେଳେ ଗତ ବର୍ଷର ବ୍ରୋଞ୍ଜ୍ ପଦକ ବିଜେତା ମନୀଷା ତୁର୍କୀର ନୂର୍ ଏଲିଫ୍ ତୁରହାନ୍ଙ୍କୁ ହରାଇଛନ୍ତି । ଏଥିସହ ନୀତୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆର୍ଏସ୍ସି ଭିତ୍ତିରେ ବିଜୟୀ ହୋଇଛନ୍ତି । ତେବେ ପ୍ରତିଯୋଗିତାର ରାଉଣ୍ଡ୍-୧୬ ମ୍ୟାଚ୍ରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଶଶି ଚୋପ୍ରା ୬୩ କିଗ୍ରା ଓଜନ ବର୍ଗରେ ଜାପାନର ମାଇ କିଟୋଙ୍କଠାରୁ ୦-୪ରେ ପରାସ୍ତ ହୋଇଛନ୍ତି ।