ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ୍ ପାୱାରଙ୍କ ନେତୃତ୍ୱାଧୀନ୍ ଏନ୍ସିପିର ନେତା ନୱାବ ମଲିକ ଆଜି ମୁମ୍ବାଇର ମନଖୁର୍ଦ ଶିବାଜୀ ନଗର ନିର୍ବାଚନ ମଣ୍ଡଳୀରୁ ୨ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ମନଖୁର୍ଦ ଶିବାଜୀ ନଗର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଓ ସମାନ ଆସନରୁ ଏନ୍ସିପିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନୱାବ ମଲିକ ନିର୍ବାଚନ ପୂର୍ବରୁ କିଛି ଗୋଟିଏ ବଡ଼ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି। ପ୍ରକାଶ, ନୱାବ ମଲିକ ଏକଦା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ। ଏବେ ସେ ଜାମିନ୍ରେ ଅଛନ୍ତି। ପୂର୍ବରୁ ସେ ଶରଦ ପୱାରଙ୍କ ସହ ଥିବା ବେଳେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ବ୍ୟବହାର କରି ବିରୋଧୀଙ୍କୁ ଗିରଫ କରୁଥିବା କହିଥିଲେ। କିନ୍ତୁ ଜାମିନ୍ରେ ଫେରିବା ପରେ ସେ ଅଜିତ୍ ପୱାରଙ୍କ ଏନ୍ସିପିରେ ସାମିଲ ହୋଇଥିଲେ। ତେବେ ଦୁଇଟି ନାମାଙ୍କନ ପତ୍ର ଦାଖଲକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ନୱାବ ମଲିକ ପରବର୍ତ୍ତୀ ଅବସ୍ଥାରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଯଦି ଏବି ଫର୍ମ ସମୟ ପୂର୍ବରୁ ଦାଖଲ କରାଯିବନି, ତା’ହେଲେ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକଙ୍କ ଇଚ୍ଛା ଅନୁସାରେ ଲଢ଼ିବି। ଯଦି ଫର୍ମ ଦାଖଲ କରାଯିବ, ତା’ହେଲେ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବି।” ପ୍ରକାଶ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଜିତ ପୱାରଙ୍କ ଦଳ ଏନ୍ସିପି ନୱାବ ମଲିକ୍ଙ୍କ ଝିଅ ସାନା ମଲିକ୍ଙ୍କୁ ଅନୁଶକ୍ତି ନଗର ଆସନରୁ ଟିକଟ ଦେଇଛି। ସାନାଙ୍କ ଶରଦ ପୱାରଙ୍କ ଏନସିପି ପ୍ରାର୍ଥୀ ଫହାଦ ଅହମଦଙ୍କ ସହ ହେବ। ଅହମଦ ହେଉଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ। ପ୍ରକାଶ, ଆସନ୍ତା ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।