ଭୁବନେଶ୍ୱର: ଦୁବାଇ, ଦିଲ୍ଲୀ ଓ ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁ । ଆସନ୍ତା ୨୮ରେ ହେବ ରୋଡ୍ ଶୋ । ସନ୍ଧ୍ୟାରେ ଇନଭେଷ୍ଟର୍ସ ମିଟ୍ ହେବ । ପୁଞ୍ଜିନିବେଶ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ତାହା ଆୟୋଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୋଡ୍ ଶୋ’ରେ ଯୋଗ ଦେଇ ଦେଶ ବିଦେଶର ନିବେଶକଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିବେ । ଦେଶର ସିଲିକନ ସିଟି ଭାବେ ପରିଚିତ ବେଙ୍ଗାଲୁରୁରେ ନିବେଶ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ସୁବିଧା ନେଇ ଶିଳ୍ପପତିଙ୍କୁ ସେ ଅବଗତ କରାଇବେ ।
ଏହି ସୂଚନା ଦେଇଛନ୍ତି ଶିଳ୍ମ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି ଯେ ଓଡ଼ିଶା ଇନ୍ଭେଷ୍ଟରଙ୍କ ପାଇଁ ଏକ ‘ବେଷ୍ଟ ଡେଷ୍ଟିନେସନ’ ଏବଂ ଏଠି ପୁଞ୍ଜିନିବେଶ କଲେ କିଛି ସମସ୍ୟା ନାହିଁ ବୋଲି ଦିଲ୍ଲୀ ଓ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ । ରାଜ୍ୟରେ କେବଳ ବୃହତ୍ତ ଇସ୍ପାତ୍ ବା ଆଲୁମିନିଅମ୍ ଶିଳ୍ପ ନୁହେଁ ଆଇଟି, ସୋଲାର୍ ଏନର୍ଜି, ପର୍ଯ୍ୟଟନ, ଇ-ଭେଇକିଲ୍ କମ୍ପୋନେଣ୍ଟସ୍ ଓ ଖାଦ୍ୟ ପ୍ରକ୍ରିୟାକରଣର ଭଳି ଶିଳ୍ପରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ବି ପର୍ଯ୍ୟାପ୍ତ ସୁଯୋଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ କିଛି ବରିଷ୍ଠ ପଦାଧିକାରୀ ଆଗୁଆ ବେଙ୍ଗାଲୁର ଗସ୍ତ କରିବେ ଶ୍ରୀ ଦେବ ସ୍ପଷ୍ଟ କରିଛନ୍ତି ।