32.1 C
Bhubaneswar
Wednesday, September 18, 2024
Homeଓଡିଶାମୋହନ ସରକାରଙ୍କ ବିଫଳତା ବଖାଣିଲେ ନବୀନ

ମୋହନ ସରକାରଙ୍କ ବିଫଳତା ବଖାଣିଲେ ନବୀନ

ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଏବେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ମାନ ଘଟିଚାଲିଛି । ବିଶେଷ କରି ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ ।

ବିଧାନସଭାରେ ଶନିବାର ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ବାଲେଶ୍ୱର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା ହୋଇଛି । ଖୋର୍ଦ୍ଧାରେ ଏହି ସାମ୍ପ୍ରଦାୟିକ ହିଂସା ଯୋଗୁଁ ହତ୍ୟା କରାଯାଇଛି । ଓଡ଼ିଶାକୁ ଶାନ୍ତି ପାଇଁ ଲୋକ ଜାଣନ୍ତି । ଏଣୁ ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର । ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚିକିଟି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ ସରକାରରେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଯାଇଥିଲା ବୋଲି ନବୀନ କହିଛନ୍ତି । ଏଥି ସହିତ ରଥଯାତ୍ରା ଭୁଲ ପରିଚାଳନା ନେଇ ମଧ୍ୟ ସରକାରଙ୍କ ଉପରେ ସେ ବର୍ଷିଛନ୍ତି । ରଥଯାତ୍ରା ସମୟରେ ଭୁଲ ପରିଚାଳନା ପାଇଁ ବଡ଼ ଠାକୁର ବଳଭଦ୍ର ମୁହଁ ମାଡ଼ି ତଳେ ପଡ଼ିଗଲେ । ଯାହା ଓଡ଼ିଆଙ୍କ ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଘାତ ଦେଇଥିଲା । ହେଲେ ଏଯାଏଁ ଏହି ଘଟଣାକୁ ନେଇ ତଦନ୍ତ ରିପୋର୍ଟ ନଆସିବା ବି ଦୁଃଖର ବିଷୟ ।

ସେହିପରି ରାଜ୍ୟପାଳଙ୍କ ପୁଅ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗ ଉଠାଇଥିଲେ । ନବୀନ କହିଥିଲେ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ଡ୍ୟୁଟି ସମୟରେ ମାଡ଼ ମାରିଲେ ଓ ଅପମାନିତ କଲେ । ଏନେଇ ଉକ୍ତ ଅଧିକାରୀ ଥାନାରେ ମାମଲା ମଧ୍ୟ କଲେ, ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲାନି । ବଡ଼ ଅଧିକାରୀଙ୍କ ପୁଅ କ’ଣ ଦଣ୍ଡ ପାଇବେନି ? ସେ କଣ ଆଇନ ଉପରେ? ଯଦି ଏହା ସତ, ତାହାଲେ ଲୋକଙ୍କୁ ଜଣାନ୍ତୁ ଯେ ଏ ସରକାରରେ କିଛି ଲୋକ ଆଇନ ଉପରେ ଅଛନ୍ତି । ସେମାନେ ଅପରାଧ କଲେ ମଧ୍ୟ ଦଣ୍ଡିତ ହେବେ ନାହିଁ । ରାଜ୍ୟ ସରକାର ଏହାର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ମଧ୍ୟ ନବୀନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ସରକାର ସମୟରେ ଏପରି ହେଉନଥିଲା । ମୋ ସରକାରରେ କେହି ଆଇନ ଉପରେ ନଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ତାଙ୍କୁ ସବୁ ଜଣାଅଛି ବୋଲି ଆଶା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking