ଭୁବନେଶ୍ୱର – ତ୍ରି ସ୍ତରୀୟ ପଂଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତା’ର ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ ସ୍ୱର ଉଠାଇ ବିଜେଡ଼ି ସରକାର ଆଦିବାସୀ ବିରୋଧ ବୋଲି ଅଭିଯୋଗ କରିଛନ୍ତି । ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ଆଦିବାସୀ ମାନଙ୍କ ପାଇଁ ରାଜନୀତିକ ସଂରକ୍ଷଣ ଏକ ସାମ୍ବିଧାନିକ ଅଧିକାର । ଆମ ସମ୍ବିଧାନର ୨୪୩ (ଡି) ଧାରାରେ ଉଭୟ ଅନୁସୂଚୀତ ଜାତି ଓ ଅନୁସୂଚିତୀ ଜନଜାତିଙ୍କ ପାଇଁ ପଂଚାୟତିରାଜ ବ୍ୟବସ୍ଥାରେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ତଦ୍ନୁଯାୟୀ ବସ୍ତୁତ ଓଡ଼ିଶା ଗ୍ରାମପଂଚାୟତ ଆଇନ ୧୯୬୪ ଓ ପଂଚାୟତ ସମିତି ଆଇନ ୧୯୫୯ରେ ପ୍ରାଗଧାନ କରାଯାଇଛି । ପ୍ରତ୍ୟେକ ପଂଚାୟତ, ପଂଚାୟତ ସମିତିରେ ଆଦିବାସୀଙ୍କ ନିମନ୍ତେ ଆସନ ସଂରକ୍ଷଣ ସହ ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଗ୍ରାମପଂଚାୟତ ଆଇନ ୧୯୬୪ ର ଧାରା ୧୦ ଓ ପଂଚାୟତ ସମିତି ଆଇନ ଧାରା ୧୬ରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ଏପରି ବ୍ୟବସ୍ଥାମାନ ଥିବା ସତ୍ୱେ ରାଜ୍ୟ ସରକାର କିପରି ଓଡ଼ିଶାର ଆଦିବାସୀମାନଙ୍କ ପାଇଁ ୨୩ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା କରିନାହାନ୍ତି? ଏହା କେବଳ ସମ୍ବିଧାନର ବିରୋଧାଚରଣ ନୁହେଁ ଆଦିବାସୀ ସଂପ୍ରଦାୟର ସ୍ୱାର୍ଥ ବିରୋଧି । କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି ଓ ଦାବି କରୁଛି ସରକାର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ସଂଶୋଧନ କରନ୍ତୁ, ଏହି ଜିଲ୍ଳାରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ପୁନଃ ଚିଠା ପ୍ରକାଶନ କରନ୍ତୁ ଓ ତା’ପରେ ନିର୍ବାଚନ କରନ୍ତୁ । ବିନା ଆଦିବାସୀ, ବିନା ଓବିସି ସଂରକ୍ଷଣରେ ନିର୍ବାଚନ କଲେ କଂଗ୍ରେସ ପ୍ରତିବାଦକୁ ଅଧିକ ଦୃଢ଼ କରିବ ଓ ଆନ୍ଦୋଳନକୁ ଯିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।
ଏହି ସମ୍ବିଳନୀରେ ଅଭିମତ ରଖି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଥିଲେ ଯେ ନବୀନ ସରକାର ଆଦିବାସୀ ମାନଙ୍କୁ ସଂରକ୍ଷଣରୁ ବଂଚିତ କରି ନିଜର ଆଦିବାସୀ ବିଦ୍ୱେଷ ମନୋଭାବ ପରିଚୟ ଦେଇଛନ୍ତି ଓ ଓବିସି କ୍ଷେତ୍ରରେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଅତ୍ୟନ୍ତ ଦୁଃଭାଗ୍ୟଜନକ । ୨-ଜାନୁଆରୀ, ୨୦୦୬ରେ ଘଟିଥିବା ବହୁଚର୍ଚ୍ଚିତ କଳିଙ୍ଗନଗର ଗଣହତ୍ୟାକୁ ସ୍ମରଣ କରି ଶ୍ରୀ ମହାପାତ୍ର କହିଲେଯେ ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ଆଦିବାସୀମାନଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ଗୁଳିମାରି ହତ୍ୟା କରିଥିଲେ ଓ ସେମାନଙ୍କ ହାତ ପାପୁଲି କାଟିଥିଲେ । ଆଜି ୨୩ ଟି ଜିଲ୍ଲାର ୧୯୫ଟି ବ୍ଲକରେ ଥିବା ଆଦିବାସୀ ମାନଙ୍କୁ ସରକାର ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରି ମୁଣ୍ଡକାଟ କରିବା ଯୋଜନା କରୁଛନ୍ତି କି? ଯାହା ସଂପୂର୍ଣ୍ଣ ଭାବରେ ଅସମ୍ବିଧାନିକ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ଆଦିବାସୀ କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରି ନିଜର ମତ ଦେଇ କହିଛନ୍ତି ଯେ ଅବହେଳିତ ଶ୍ରେଣୀ ଆଦିବାସୀ ସଂପ୍ରଦାୟ ପ୍ରତି ଅବିଚାର ଅକ୍ଷମଣୀୟ । ଦେଶ ତଥା ରାଜ୍ୟର ସାମଗ୍ରିକ ସମୃଦ୍ଧି ସେତେବେଳେ ସମ୍ଭବ ଉଭୟ ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ମାନଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହେବ ଓ ତାହା କେବେଳ ସାମ୍ବିଧାନିକ ବ୍ୟବସ୍ଥା ଅନୁପାଳନରେ ସମ୍ଭବ ହୋଇପାରିବ । ରାଜ୍ୟ ସରକାର ଏଥିପ୍ରତି ଉଦାସୀନ ହେଲେ ପରିସ୍ଥିତ ଭୟାବହ ହେବ ।