ଭୁବନେଶ୍ୱର, : ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଭଳି ଅଦୃଶ୍ୟ ଶତୃର ମୁକାବିଲା କରିବା ପରେ ମଣିଷ ସମାଜ ଏବେ ଧୀରେ ଧୀରେ ତା’ର ପୂର୍ବାବସ୍ଥାକୁ ଫେରିବା ଆରମ୍ଭ କରିଛି । ଯଦିଓ କୋଭିଡର କରାଳଛାୟା ସଂପୂର୍ଣ୍ଣ ହଟି ନାହିଁ ତେବେ ମଣିଷ କିଛିଟା ଆଶ୍ୱସ୍ତି ଲାଭ କରୁଛି । ତେବେ କୋଭିଡ ସମୟରେ ଗୁଣାତ୍ମକ ଅନୁସନ୍ଧାନର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବର୍ତମାନ ପରିସ୍ଥିତିରେ ଏହା ଅନେକ ମାତ୍ରାରେ ସାହାଯ୍ୟକାରୀ ହେବ ବୋଲି କହିଛନ୍ତି ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ପକ୍ଷରୁ ଆୟୋଜିତ ଦୁଇ ଦିନିଆ “କ୍ୱାଲିଟେଟିଭ ରିସର୍ଚ୍ଚ ମେଥଡୋଲୋଜି: ଏକ୍ସପ୍ଲୋରିଙ୍ଗ୍ ଦ ଇନୋଭେଟିଭ୍ ସ୍ପେକ୍ଟ୍ରମ୍” ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପତି କହିଛନ୍ତି ଯେ କୋଭିଡ୍ର ମୁକାବିଲା ନିମନ୍ତେ ମାତ୍ରାତ୍ମକ ଅନୁସନ୍ଧାନ ଅପେକ୍ଷା ଗୁଣାତ୍ମକ ଅନୁସନ୍ଧାନର ଗୁରୁତ୍ୱ ଖୁବ୍ ଅଧିକ ।
କୋଭିଡ୍ର ଦୁଇଟି ପର୍ଯ୍ୟାୟରେ ଆଗଧାଡିରେ ରହି କରୋନା ଟେଷ୍ଟିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡଃ ପତି ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କୋଭିଡ ସମୟରେ ନର୍ସ ମାନଙ୍କର ଭୂମିକାକୁ ଅନେକ ପ୍ରଶଂସା କରିଛନ୍ତି । ନିଜ ଅନୁଭୂତି ବଖାଣି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସେ ୩ ଥର କୋଭିଡ ସଂକ୍ରମିତ ହୋଇସାରିଲେଣି ଏବଂ ଏହି ସଂକ୍ରମଣ ସମୟରେ ନର୍ସମାନଙ୍କର ସେବା ଓ ଯତ୍ନକୁ ଖୁବ୍ ଭଲ ଭାବେ ଉପଲବ୍ଧି କରିପାରିଛନ୍ତି ବୋଲି ସେ କହିଥିଲେ ।
ତେବେ ଆମ ଦେଶରେ ଡାକ୍ତର ଏବଂ ନର୍ସଙ୍କର ଅନେକ ଅଭାବ ରହିଛି । ଆମକୁ ୧୨ ଲକ୍ଷ ଡାକ୍ତର ଏବଂ ୨୦ ଲକ୍ଷ ନର୍ସଙ୍କର ଆବଶ୍ୟକତା ରହିଥିବା ଏ ବିଷୟରେ ପ୍ରଫେସର ମହାପାତ୍ର ଉଦ୍ବେଗ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ରିତା ଲେଙ୍କା ସମ୍ମାନିତ ଅତିଥି ଏବଂ ମଣିପାଲ୍ କଲେଜ ଅଫ୍ ନର୍ସିଂର ଚାଇଲ୍ଡ ହେଲ୍ଥ ନର୍ସିଂ ବିଭାଗର ପ୍ରଫେସର ଡକ୍ଟର ମମଥା ଶିବାନନ୍ଦା ପାଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଅନୁସନ୍ଧାନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଏସ୍ଏନ୍ସି ଡିନ୍୍ ପ୍ରଫେସର ଡକ୍ଟର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର ଡକ୍ଟର ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ । ଏସ୍ଏନ୍ସିର ଆସିଷ୍ଟାଂଟ ପ୍ରଫେସର କୁମାରୀ କ୍ରିଷ୍ଣା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।