ଜୟପୁର: ହରିଆଣାର ଚର୍ଚ୍ଚିତ ଭିୱାନୀ ହତ୍ୟାକାଣ୍ଡ୍ ମାମଲାରେ ରାଜସ୍ଥାନର ପୁଲିସ ଦୁଇଜଣ ଅଭିଯୁକ୍ତ ମୋନୁ ଓ ଗୋଗୀଙ୍କୁ ଗିରଫ କରିଛି । ଦୁହେଁ ହରିଆଣାର ଭିୱାନୀ ନିବାସୀ । ସେମାନଙ୍କ ଉପରେ ୧୦-୧୦ ହଜାର ଟଙ୍କାର ପୁରସ୍କାର ଥିଲା । ଏହା ପୂର୍ବରୁ ପୁଲିସ ହତ୍ୟାକାଣ୍ଡରେ ସାମିଲ ଗୋରକ୍ଷକ ଶ୍ରୀକାନ୍ତ ସୈନୀକୁ ଗିରଫ କରିଥିଲା । ତେବେ ବଜରଙ୍ଗ ଦଳର ଗୋରକ୍ଷକ ପ୍ରମୁଖ ମୋହିତ ଯାଦବ ଓରଫ୍ ମୋନୁ ମାନେସର ହତ୍ୟାକାଣ୍ଡରେ ନାମ ଆସିବା ପରେ ଫେରାର୍ ହୋଇଯାଇଛି ।
ସୂଚନାଯୋଗ୍ୟ, ୨୦୨୩ ଫେବୃଆରୀ ୧୫ ତାରିଖରେ ରାଜସ୍ଥାନର ଭରତପୁର ଜିଲ୍ଲା ଘାଟିମକା ନିବାସୀ ଜୁନୈଦ (୩୫) ଓ ନାସିର୍ (୨୫)ଙ୍କୁ ପାହାଡ଼ି ଥାନାଞ୍ଚଳରୁ ଅପରାହରଣ କରାଯାଇଥିଲା । ବଜରଙ୍ଗ ଦଳ ସହିତ ଜଡ଼ିତ ଗୋରକ୍ଷକଙ୍କ ବିରୋଧରେ ଅପହରଣ ଅଭିଯୋଗ ହୋଇଥିଲା । ପରଦିନ ଦୁହିଁଙ୍କ କଙ୍କାଳ ଭିୱାନୀ ଜିଲ୍ଲାର ଲୋହାରୁ ଜଙ୍ଗଲରେ ଏକ ବୋଲେରୋରୁ ଜବତ କରାଯାଇଥିଲା । ଦୁହିଁ ଜୀବନ୍ତ ପୋଡ଼ି ମାରି ଦିଆଯାଇଥିଲା । ଏହି ମାମଲାରେ ରାଜସ୍ଥାନ ପୁଲିସ ୫ ଜଣଙ୍କ ସମେତ ଅନ୍ୟ କେତେକ ବିରୋଧରେ ହତ୍ୟା ସହିତ ବିଭିନ୍ନ ଧାରାରେ ମାକଲା ରୁଜୁ କରିଥିଲା । ହତ୍ୟାକାଣ୍ଡର କିଛିଦିନ ପରେ ପୁଲିସ ନୁଂହ ଜିଲ୍ଲା ନିବାସୀ ଗୋରକ୍ଷକ ରିଙ୍କୁ ସୈନୀଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ସାମିଲ ଅପରାଧୀଙ୍କୁ ଗିରଫ କରିବା ପାଇଁ ରାଜସ୍ଥାନ ପୁଲିସ ଟିମ୍ ପ୍ରାୟ ଦୁଇମାସ ଧରି ହରିଆଣା ସମେତ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରଖିଥିଲା ।