ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବା ପରେ ରାଜ୍ୟ ସରକାର ସେପ୍ଟେମ୍ବର ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରିଛନ୍ତି । ତେବେ କୋଭିଡ କଟକଣା କୋହଳ ହେବା ପରେ ନନ୍ଦନକାନନ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ଭଳି ପ୍ରତି ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ । ପୂର୍ବରୁ ଟୁଇନ ସିଟିରେ ସପ୍ତାହାନ୍ତ ସଟଡାଉନ ପାଇଁ ନନ୍ଦନକାନନ ନିୟମ ବଦଳିଥିଲା । ତେବେ ଏବେ ଟୁଇନ ସିଟିରେ ସପ୍ତାହାନ୍ତ ସଟଡାଉନକୁ ଉଠାଇ ଦିଆଯାଇଛି । ପ୍ରତି ସପ୍ତାହରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତି ଥିଲା । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ରାଜ୍ୟ ସରକାର ଏନେଇ ୧୪ଟି ମାର୍ଗଦର୍ଶିକା ଜାରି କରିଥିଲେ । ଉଭୟ ଉଦ୍ୟାନ ବୁଲିବା ପାଇଁ କେତେ ସଂଖ୍ୟକ ପର୍ଯ୍ୟଟକ ବୁଲିପାରିବେ ସେଥିରେ କୌଣସି କଟକଣା ନାହିଁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ତୁଣ୍ଡି ବାଧ୍ୟତାମୂଳକ ହେବ। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବଣଭୋଜିକୁ ବାରଣ କରାଯାଇଛି।
ପିସିସିଏଫ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ ସଂକ୍ରମଣ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ଟିକଟ କାଉଣ୍ଟରରେ ଭିଡ଼ ହ୍ରାସ ପାଇଁ ଇ-ଟିକଟ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ସଂକ୍ରମଣ ଆଶଙ୍କାରେ ବୟସ୍କ ଲୋକ ଏବଂ ଶିଶୁଙ୍କୁ ସାଙ୍ଗରେ ଧରି ନନ୍ଦନକାନନ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପ୍ରବେଶ ପଥରେ ସମ୍ପୂର୍ଣ୍ଣ ଶରୀର ବିଶୋଧନ ବ୍ୟବସ୍ଥା ରହିବ ଏବଂ ପ୍ରତ୍ୟେକ ଆଗନ୍ତୁକ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ କରିବେ।