ଆବୁଧାବି: ୨୩ ବର୍ଷୀୟ ଫାଷ୍ଟ ବୋଲର୍ ରୁବେନ୍ ରୁବେନ୍ ଟ୍ରମ୍ପଲ୍ମ୍ୟାନ୍ଙ୍କ ପ୍ରଥମ ଓଭର୍ରେ ୩ଟି ୱିକେଟ୍ ଏବଂ ଜେଜେ ସ୍ମିଟ୍ଙ୍କ ୨୩ ବଲ୍ରେ ଅପରାଜିତ ୩୨ ରନ୍ ବଳରେ ସ୍କଟ୍ଲାଣ୍ଡ୍କୁ ୪ ୱିକେଟ୍ରେ ହରାଇ ନାମ୍ବିୟା ଚଳିତ ବିଶ୍ୱକପ୍ର ସୁପର-୧୨ରେ ପଏଣ୍ଟ ଖାତା ଖୋଲିଛି । ପ୍ରଥମ ଓଭର୍ର ୪ଟି ବଲ୍ରେ ଟ୍ରମ୍ପଲ୍ମ୍ୟାନ୍ ୩ଟି ୱିକେଟ୍ ନେବା ଫଳରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସ୍କଟ୍ଲାଣ୍ଡ ନିର୍ଦ୍ଧାରିତ ଓଭର୍ରେ ୯ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା । ଜବାବରେ ନାମ୍ବିଆ ପାଞ୍ଚଟି ବଲ୍ ବାକି ଥିବାବେଳେ ୬ ୱିକେଟ୍ ବିନିମୟରେ ୧୧୫ ରନ୍ କରି ଏହି ଐତିହାସିକ ବିଜୟ ହାସଲ କରି ୨ ପଏଣ୍ଟ ହାତେଇଛି । ଅନ୍ତିମ ଓଭର୍ରେ ନାମ୍ବିୟାକୁ ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବାବେଳେ ପ୍ରଥମ ବଲ୍ରେ ଛକା ମାରି ସ୍ମିଟ୍ ଟିମ୍କୁ ବିଜୟ ଦେଇଥିଲେ । ଐତିହାସିକ ବୋଲିଂ ପ୍ରଦର୍ଶନ ଫଳରେ ରୁବେନ୍ ଟ୍ରମ୍ପଲ୍ମ୍ୟାନ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା ।
ଟସ୍ ହାରି ବ୍ୟାଟିଂ କରିଥିବା ସ୍କଟ୍ଲାଣ୍ଡର ଓପ୍ନର୍ ଜର୍ଜ ମୁନ୍ସେଙ୍କୁ ଇନିଂସ୍ର ପ୍ରଥମ ବଲ୍ରେ ରୁବେନ୍ ଗୋଲ୍ଡେନ୍ ଡକ୍ରେ ବୋଲ୍ଡ ଆଉଟ୍ କରିଥିଲେ । ଏହାପରେ ଦ୍ୱିତୀୟ ବଲ୍ରେ ମ୍ୟାକ୍ଲିଓଡ୍ (୦)ଙ୍କୁ ଜାନ୍ ଗ୍ରୀନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇବା ପରେ ୪ର୍ଥ ବଲ୍ରେ କ୍ୟାପ୍ଟେନ୍ ବେରିଙ୍ଗ୍ଟନ୍ (୦)ଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସ୍କଟ୍ଲାଣ୍ଡ ୧୮ ରନ୍ରେ ୪ଟି ୱିକେଟ୍ ହରାଇଥିବା ବେଳେ ମାଇକେଲ୍ ଲିସ୍କ (୪୪) ମାଥ୍ୟୁ କ୍ରସ୍ (୧୯)ଙ୍କ ସହ ୫ମ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୪୯ ରନ୍ ଏବଂ ମାର୍କ ୱାଟ୍ (୨୫)ଙ୍କ ସହ ୬ଷ୍ଠ ୱିକେଟ୍ ପାଇଁ ୩୬ ରନ୍ ଯୋଗ କରିବା ଫଳରେ ଦଳର ସ୍କୋର୍ ୨୦ ଓଭର୍ରେ ୧୦୯ ରନ୍ରେ ପହଞ୍ଚିଥିଲା । କ୍ରସ୍ଙ୍କ ୨୭ ବଲ୍ର ଇନିଂସ୍ରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ନାମ୍ବିୟା ପକ୍ଷରୁ ଟମ୍ପ୍ମ୍ୟାନ୍ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଜାନ୍ ଫ୍ରିଲିଙ୍କ୍ଙ୍କୁ ୨ଟି ଏବଂ ସ୍ମଟ୍ ଓ ୱିଜେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଜବାବରେ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିବା ନାମ୍ବିୟା ୨୮ ରନ୍ରେ ମିଚେଲ୍ ଭାନ୍ ଲିଙ୍ଗେନ୍ (୧୮)ଙ୍କ ୱିକେଟ୍ ହରାଇଥିଲେ । ତେବେ ଜେଜେ ସ୍ମିଟ୍ (୩୨³) ଇନିଂସ୍ ସମ୍ଭାଳି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମକା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରେଗ୍ ୱିଲିଅମ୍ସ ୨୩, ଡେଭିଡ୍ ୱିଜେ ୧୬ ରନ୍ କରିଥିଲେ । ସ୍କଟ୍ଲାଣ୍ଡ ପକ୍ଷରୁ ମାଇକେଲ୍ ଲିସ୍କଙ୍କୁ ସର୍ବାଧିକ ୨ଟି ୱିକେଟ୍ ମିଳିଥିଲା ।