ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପଞ୍ଜାବର ତିନିଜଣ ବଡ଼ ନେତାଙ୍କୁ ପାର୍ଟିରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ଶୁକ୍ରବାର ବିଜେପିରେ ଯୋଗ ଦେଇଥିବା କଂଗ୍ରେସର ପୂର୍ବତନ ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍ଙ୍କୁ ବିଜେପିର ଜାତୀୟ ମୁଖପାତ୍ର କରାଯାଇଛି । ଶେରଗିଲ୍ ଚଳିତ ବର୍ଷ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଏବଂ ପୂର୍ବତନ କଂଗ୍ରେସ ପ୍ରବେଶ ଅଧ୍ୟକ୍ଷ ସୁନୀଲ୍ ଝାଖଡ଼ଙ୍କୁ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇଛି । ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପି ଏବେଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପଞ୍ଜାବର ଏହି ତିନି ବଡ଼ ନେତାଙ୍କୁ ନିଜ ଟିମ୍ରେ ସାମିଲ କରିଛନ୍ତି । ଏହି ତିନି ନେତାଙ୍କ ବ୍ୟତୀତ ସ୍ୱତନ୍ତ୍ର ଦେବ ସିଂହ (ଉତ୍ତର ପ୍ରଦେଶ)ଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିଯୁକ୍ତ କରାଯାଇଛି । ସେହିପରି ମଦନ କୌଶିକ୍, ବିଷ୍ଣୁ ଦେବା ସାୟ, ରାଣା ଗୁରମିତ୍ ସିଂହ ସୋଢ଼ୀ, ମନୋରଞ୍ଜନ କାଲିଆ ଏବଂ ଆମନଜୋତ କୌର୍ ରାମୁୱାଲିଆଙ୍କୁ ଜାତୀୟ କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମନୋନୀତ କରାଯାଇଛି ।