ମାଡ୍ରିଡ୍ : ସ୍ପେନ୍ର ତାରକା ଟେନିସ୍ ଖେଳାଳି ରାଫେଲ୍ ନାଡାଲ୍ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ବାର୍ସିଲୋନା ଓପନରୁ ଓହରିଯାଇଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏହି ୨୨ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ହିପ୍ ଇନ୍ଜୁରୀର ଶିକାର ହୋଇଥିଲେ । ଅଦ୍ୟାବଧି ସେ ସମ୍ପୂର୍ଣ୍ଣ ଫିଟ୍ନେସ୍ ହାସଲ କରିପାରି ନ ଥିବାରୁ ବାର୍ସିଲୋନା ଓପନ୍ରେ ଭାଗ ନେବେ ନାହିଁ ବୋଲି ଶୁକ୍ରବାର ନାଡାଲ୍ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ୩୬ ବର୍ଷୀୟ ନାଡାଲ୍ ଇଣ୍ଡିଆନ୍ ୱେଲ୍ସ ଓ ମିଆମି ଓପନ୍ ସହ ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଓହରିଯାଇଥିଲେ। ବାର୍ସିଲୋନା ଓପନ୍ ତାଙ୍କର ଅନ୍ୟତମ ଫେବରିଟ୍ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ ମଧ୍ୟ ତାଙ୍କ ସୁସ୍ଥତା ପ୍ରକ୍ରିୟା ଜାରି ରହିଥିବାରୁ ସେ ଏହି ଟୁର୍ଣ୍ଣାମେଣ୍ଟ୍ ଖେଳିପାରିବେ ନାହିଁ ବୋଲି ନାଡାଲ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଆସନ୍ତା ମେ’ରେ ଆରମ୍ଭ ହେଉଥିବା ସିଜନ୍ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍ ମାଧ୍ୟମରେ ପେସାଦାର ଟେନିସ୍କୁ ଫେରିବା ସକାଶେ ନାଡାଲ୍ ଲକ୍ଷ୍ୟ ରଖିଛନ୍ତି । ଏହି କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍ରେ ନାଡାଲ୍ ୧୪ଟି ଟାଇଟଲ୍ ହାସଲ କରିସାରିଛନ୍ତି ।