24.1 C
Bhubaneswar
Sunday, October 20, 2024
Homeଓଡିଶାଗୃହରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ

ଗୃହରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ

ମର୍ଡର ମୋଟିଭ ସ୍ପଷ୍ଟ ହେଉନି: ବିରୋଧୀ
ସବୁ ଦିଗକୁ ନେଇ ତଦନ୍ତ ହେଉଛି : ଅମର

ଭୁବନେଶ୍ୱର: ଗୋପାଳ ପାଗଳ ନୁହେଁ ବୋଲି ଏସ୍‌ସିବି ମେଡିକାଲ ବୋର୍ଡ ରିପୋର୍ଟ ଦେଇଛି । କିନ୍ତୁ ତାକୁ ପାଗଳ ବୋଲି ସଜେଇବାକୁ ଚାହୁଁଛନ୍ତି କ୍ରାଇମ୍‌ବ୍ରାଞ୍ଚ ଓ ସରକାର । ମର୍ଡର ମୋଟିଭ୍ କ’ଣ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କ୍ରାଇମ୍‌ବ୍ରାଞ୍ଚ ମିଡିଆକୁ ଆସୁନାହିଁ କାହିଁକି? ଗୃହ ଭିତରେ ଓ ବାହାରେ ଏହି ପ୍ରସଙ୍ଗ ନ ଉଠେଇବା ପାଇଁ ପରୋକ୍ଷ ଭାବେ ଧମକ ଦିଆଯାଇଛି । ଏପରିକି ଅଶାଳୀନ ମନ୍ତବ୍ୟ ଦିଆଯାଉଛି । ଆମେ ଏପରି ସମ୍ବେଦନଶୀଳ ଘଟଣାରେ ନିରବ ରହିବୁନି । ଗୃହର ଏ ବିଷୟରେ ଜାଣିବାର ଅଧିକାର ଅଛି । ରାଜନୈତିକ ବାଧ୍ୟ ବାଧକତା ପାଇଁ ସରକାର ଏହାକୁ ଚାପି ଦେବାକୁ ଚାହୁଁଛନ୍ତି । ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଦାବି କରିଛନ୍ତି ।

ସୋମବାର ବିଧାନସଭାର ଶୂନ୍ୟକାଳରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ପ୍ରସଙ୍ଗ କହିଛନ୍ତି ଯେ ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି, ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉଛି । ତେବେ ସସ୍‌ପେକ୍ଟ କିଏ, କେଉଁ ପ୍ରକାର ଷଡ଼ଯନ୍ତ୍ର ହୋଇଛି ଏବଂ ବ୍ୟବସାୟିକ କି ବ୍ୟକ୍ତିଗତ ଷଡ଼ଯନ୍ତ୍ର ତାହା ଉପରେ ତଦନ୍ତ ହେଉଛି କି ନାହିଁ ସ୍ପଷ୍ଟ ହେଉନାହିଁ । ତାହା ଗୃହର ସଦସ୍ୟମାନେ ଜାଣିବାର ଅଧିକାର ଅଛି । ଷଡ଼ଯନ୍ତ୍ରର ଦଫା କାହିଁକି ଲାଗିନି ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର । ତେଣୁ ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ରୁଲିଂ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି ।

ସେହିପରି ବରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ତଦନ୍ତକୁ ୪୩ ଦିନ ବିତିଥିଲେ ହେଁ ପୁଲିସ୍ କିଛି ପାଇନାହିଁ । ତେଣୁ ଆମେ ତଦନ୍ତ ଭାର ସିବିଆଇକୁ ଦେବା ଲାଗି ଦାବି କରୁଛୁ । କ୍ରାଇମ୍‌ବ୍ରାଞ୍ଚ ବିଶ୍ୱସନୀୟତା ହରାଉଛି । କ୍ରାଇମବ୍ରାଞ୍ଚ ଯେତେ ତଦନ୍ତ ଭାର ନେଇଛି ତା’ର ରେଜଲ୍ଟ ଭଲନାହିଁ । ଏହି ପ୍ରସଙ୍ଗ ଉଠାଇ ଆନ୍ଦୋଳନ କରିବାରୁ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରି ୩୦୭ ଦଫା ଲଗାଯାଇଛି । ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଆଣିଥିବା ଅଭିଯୋଗର ଜବାବ୍ ରଖିଛନ୍ତି ଶାସକ ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି ଯେ ବାରମ୍ବାର ଗୃହରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ବି ଉତ୍ତର ରଖିଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ ବି ନିଜ ଉତ୍ତରରେ ସବୁ ଦିଗକୁ ନେଇ ତଦନ୍ତ ହେଉଛି ବୋଲି ସ୍ପଷ୍ଟ କରାଯାଇଛି । ଯଦି ଆବଶ୍ୟକ ପଡ଼େ ତଦନ୍ତ ବାହାର ସଂସ୍ଥାର ସହଯୋଗରେ କରାଯିବ । ତେଣୁ ବିରୋଧୀ ବ୍ୟସ୍ତ ହେଲେ ହେବନାହିଁ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking