27.1 C
Bhubaneswar
Sunday, September 29, 2024
Homeଓଡିଶା‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା; ବଦଳିବ ୭ କଲେଜର ଚେହେରା; ବିକାଶ ପାଇଁ ୩.୧୨...

‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା; ବଦଳିବ ୭ କଲେଜର ଚେହେରା; ବିକାଶ ପାଇଁ ୩.୧୨ କୋଟି ମଞ୍ଜୁର

ଭୁବନେଶ୍ୱର:ରାଜ୍ୟରେ ବଦଳିବାକୁ ଯାଉଛି ୭ଟି ବଡ଼ ବଡ଼ କଲେଜର ଚେହେରା । କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ହେବ । କେଉଁଠି ସ୍ମାର୍ଟଶ୍ରେଣୀଗୃହ ତିଆରି ହେବ ତ କେଉଁଠି ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ ଖର୍ଚ୍ଚହେବ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା । ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ୭ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଛି । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ବୈଠକରେ ଅର୍ଥ ମଞ୍ଜୁର ହୋଇଛି ।

ମଞ୍ଜୁର ଅର୍ଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍‌ରେ ନୂଆ ସ୍ମାର୍ଟ ଶ୍ରେଣୀଗୃହ ଓ ଭିଡିଓ କନ୍‌ଫରେନ୍ସ ହଲ୍ ନିର୍ମାଣ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ରେ ଛାତ୍ରଛାତ୍ରୀଙ୍କ ପାଇଁ ୟଙ୍ଗ ଟିଙ୍କର ସ୍ପେସ୍ କରାଯିବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବାଙ୍ଗିରିପୋଷିର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜରେ ସାଇକେଲ୍ ଷ୍ଟାଣ୍ଡ୍ ସମ୍ପ୍ର୍ରସାରଣ ସହ ବିଜ୍ଞାନ ଲ୍ୟାବ୍ ପ୍ରତିଷ୍ଠା, ଢେଙ୍କାନାଳ ଯୋରନ୍ଦା ମହିମା ମହାବିଦ୍ୟାଳୟରେ ବୈଦ୍ୟୁତିକ ଉପକରଣ କ୍ରୟ, ଢେଙ୍କାନାଳ ଭୁବନର ବାଜିରାଉତ ମେମୋରିଆଲ୍ ଡିଗ୍ରୀ କଲେଜର ଷ୍ଟାଫ୍ କମନ୍‌ରୁମ୍‌ର ଉନ୍ନତୀକରଣ ଏବଂ ଗଞ୍ଜାମର ଖଲ୍ଲିକୋଟ୍ ଏକକ ବିଶ୍ୱବିଦ୍ୟାଳୟର ସେମିନାର୍ ଲାଇବ୍ରେରୀ ପାଇଁ ବହି କ୍ରୟ କରାଯିବ ।

କଲେଜରେ ଏହି ସବୁ ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ନିଜ ପ୍ରିୟ ଶିକ୍ଷାନୁଷ୍ଠାନର ଉନ୍ନତୀପାଇଁ ଏହି ଅବଦାନ କଲେଜର ବିକାଶ ପଥକୁ ତ୍ୱରାନ୍ୱିତ କରିବ । ଏହା ସହ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନର ବିକାଶ କରିବାକୁ ଆଗେଇ ଆସିବା ପାଇଁ ପ୍ରେରଣା ଦେବ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା ‘ମୋ କଲେଜ’ର ଉପାଧ୍ୟକ୍ଷ ବିଷ୍ଣୁପଦ ସେଠୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମୀୟ କୁମାର ରାଉତ, ବିତ୍ତ ଅଧିକାରୀ ଅନିତା ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସଚିବ ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking