ନୂଆଦିଲ୍ଲୀ : ଲିଭ୍ ଇନ୍ ରିଲେସନସିପ୍ରୁ ମତାନ୍ତର ପରେ ପ୍ରେମିକାଙ୍କୁ ହତ୍ୟାକରି ୩୫ ଖଣ୍ଡ କାଟିଥିବା ପ୍ରେମିକ ଅଫ୍ତାବ ବର୍ତ୍ତମାନ ପୁଲିସ ଦ୍ୱାରା ଗିରଫ ହୋଇଛି । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଗଣମାଧ୍ୟମର ଶିରୋନାମା ପାଲଟିଥିବାବେଳେ ମଙ୍ଗଳବାର ସିବିଆଇ ଫରେନସିକ୍ ଟିମ୍ ଦିଲ୍ଲୀର ମେହରୌଲି ଥାନାରେ ପହଞ୍ଚି ବିଭିନ୍ନ ପ୍ରମାଣ ଯାଞ୍ଚ କରିଥିବା ଜଣାପଡିଛି । ଅଫ୍ତାବ୍ଙ୍କୁ ସାଙ୍ଗରେ ନେଇ ପୁଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ହତ୍ୟାର ଶିକାର ହୋଇଥିବା ପ୍ରେମିକା ଶ୍ରଦ୍ଧା ୱାଲକରଙ୍କ ମୃତଦେହର ୧୦ଟି କଟାଅଂଶକୁ ସଂଗ୍ରହ କରିଛି । ଏହାବ୍ୟତୀତ ଶ୍ରଦ୍ଧାଙ୍କ ମୃତଦେହର ୩୫ଟି କଟାଅଂଶକୁ ସାଇତି ରଖିବା ପାଇଁ ଅଫ୍ତାବ ଯେଉ ୩୦୦ ଲିଟର କ୍ଷମତା ବିଶିଷ୍ଟ ଫ୍ରିଜ୍ କିଣିଥିଲା, ତାହାକୁ ମଧ୍ୟ ଯାଞ୍ଚ କରାଯାଇଛି । ପୁଲିସ ପ୍ରଥମେ ଅଫ୍ତାବ୍କୁ ଛୁରୀ କିଣାଯାଇଥିବା ଦୋକାନକୁ ନେଇଥିଲା ।
ତେବେ ଉକ୍ତ ଦିନର ସିସିଟିଭି ଫୁଟେଜ ଉପଲବ୍ଧ ହୋଇନଥିବାବେଳେ ଅଫ୍ତାବ୍ ସେହି ଦୋକାନରୁ ଛୁରୀ କିଣିଥିବା ପୁଲିସକୁ କହିଛି । ଜେରା କରାଯିବାପରେ ଅଫ୍ତାବ୍ ପୁଲିସକୁ କେତେକ ଚାଞ୍ଚଲ୍ୟକର ବୟାନ ଦେଇଛି । ମେ’ ୧୮ରେ ଶ୍ରଦ୍ଧାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡରେ କାଟିଥିଲା । ସବୁ କଟା ଅଂଶକୁ ଫ୍ରିଜ୍ରେ ରଖିଥିବାବେଳେ ସେହି ପ୍ରକୋଷ୍ଠରେ ସେ ଶୋଉଥିଲା । ପ୍ରତିଦିନ ଫ୍ରିଜ୍ରେ ରଖାଯାଇଥିବା ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଦେଖୁଥିବା ସେ ପୁଲିସ ଆଗରେ ସ୍ୱୀକାର କରିଛି । ୧୮ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମୃତଦେହକୁ ଅନ୍ୟତ୍ର ଫୋପାଡିବାପରେ ଅଫ୍ତାବ୍ ଫ୍ରିଜ୍କୁ ଭଲଭାବେ ଧୁଆଧୋଇ ମଧ୍ୟ କରିଥିଲା ।
ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ମଧ୍ୟ ଅଫ୍ତାବ୍ ସେହି ଫ୍ଲାଟ୍ ଛାଡିନଥିଲା । ଏପରିକି ହତ୍ୟାକାଣ୍ଡ ପରେ ଏକାଧିକ ମହିଳା ଓ ଯୁବତୀ ଅଫ୍ତାବ୍ଙ୍କ ଫ୍ଲାଟ୍କୁ ଆସୁଥିଲେ ବୋଲି ପଡୋଶୀମାନେ ପୁଲିସକୁ କହିଛନ୍ତି । ଏପରିକି ଫ୍ରିଜ୍ରେ ଶ୍ରଦ୍ଧାଙ୍କ ମୃତଦେହର କଟାଅଂଶ ରଖାଯାଇଥିବାବେଳେ ମଧ୍ୟ ଏହି ଯୁବତୀ ସେଠାକୁ ଆସୁଥିବା ଜଣାପଡିଛି । ଏହି ଚର୍ଚ୍ଚିତ ହତ୍ୟାଘଟଣା ଲୋକଲୋଚନକୁ ଆସିିବାପରେ ଲୋକେ ଇଣ୍ଟରନେଟ୍ରେ ଅଫ୍ତାବ୍ର ସୋସିଆ ମିଡିଆ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ତେବେ ଇନ୍ଷ୍ଟାଗ୍ରାମରେ ସେ ଜଣେ ଫୁଡ୍ ବ୍ଲଗରଭାବେ ନିଜକୁ ଉପସ୍ଥାପନ କରିଥିବାର ପ୍ରମାଣ ମିଳିଛି । ଉକ୍ତ ଆକାଉଣ୍ଟକୁ ପ୍ରାୟ ୨୯ ହଜାର ଲୋକ ଅନୁସରଣ କରୁଥିଲେ ।
ପୁଲିସ ସୂଚନା ଅନୁଯାୟୀ ଶ୍ରଦ୍ଧା ୱାଲକର ମୁମ୍ବାଇରେ ଏକ ଏମଏନ୍ସିର କଲ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ସେଠାରେ ଅଫ୍ତାବ୍ ଅମିନ ପୁନାୱାଲା ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଶ୍ରଦ୍ଧାଙ୍କ ପରିବାର ବିବାହ ପାଇଁ ଅରାଜି ହେବାଫଳରେ ଉଭୟ ଶ୍ରଦ୍ଧା ଓ ଅଫ୍ତାବ୍ ଚଳିତବର୍ଷ ମେ’ରେ ଦିଲ୍ଲୀ ପଳାଇଆସି ଛତରପୁର ଅଞ୍ଚଳରେ ଭଡାଘର ନେଇ ରହୁଥିଲେ । ତେବେ ଶ୍ରଦ୍ଧା ବାରମ୍ବାର ବିବାହ ପାଇଁ ଜିଦ୍ ଧରୁଥିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗୁଥିଲା । ମେ’ ୧୮ରେ ସେମାନଙ୍କର କଳି ଚରମସୀମାରେ ପହଞ୍ଚିଥିଲା । କ୍ରୋଧାନ୍ୱିତ ଅବସ୍ଥାରେ ଅଫ୍ତାବ୍ ଶ୍ରଦ୍ଧାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ।
ଗିରଫ ଭୟରେ ସେ ଶ୍ରଦ୍ଧାଙ୍କ ମୃତଦେହକୁ କାଟି ୩୫ ଖଣ୍ଡ କରିଥିଲା । ଏହି ଅଂଶଗୁଡିକୁ ସୁରକ୍ଷିତ ରଖିବାକୁ ଅଫ୍ତାବ୍ ୩୦୦ ଲିଟର କ୍ଷମତାସମ୍ପନ୍ନ ଗୋଟିଏ ଫ୍ରିଜ୍ ମଧ୍ୟ କିଣିଥିଲା । କାଳେ ମୃତଦେହରୁ ପଚା ଗନ୍ଧ ବାହାରିବ, ସେଥିପାଇଁ ସେ ପ୍ରତିଦିନ ଫ୍ରିଜ ନିକଟରେ ସୁଗନ୍ଧଯୁକ୍ତ ଅଗରବତୀ ମଧ୍ୟ ଜାଳୁଥିଲା । ସମୟକ୍ରମେ ଅଫ୍ତାବ୍ ମୃତଦେହର କିଛି ଅଂଶ ଲୁଚାଇ ନେଇ ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ ଫୋପାଡୁଥିଲା । ଏଣେ ଝିଅ ସମ୍ପର୍କରେ କୌଣସି ସୂଚନା ନପାଇବାରୁ ଶ୍ରଦ୍ଧାଙ୍କ ପିତା ଚଳିତମାସ ୮ରେ ଦିଲ୍ଲୀର ମେହରୌଲି ଥାନାରେ ନିଖୋଜ ମାମଲା ଦାଏର କରିଥିଲେ । ଏହାକୁ ଆଧାର କରି ଦିଲ୍ଲୀ ପୁଲିସ ଅଫ୍ତାବ୍କୁ ଘନ ଘନ ଜେରା କରିବାପରେ ସେ ସବୁକଥା ସ୍ୱୀକାର କରିଥିଲା । ସୋମବାର ତାକୁ ଗିରଫ କରାଯାଇଥିଲା ।