25.1 C
Bhubaneswar
Monday, October 21, 2024
Homeଓଡିଶାହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ମହିଳା କେୟାରଟେକର ହିଁ ହତ୍ୟାକାରୀ

ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ମହିଳା କେୟାରଟେକର ହିଁ ହତ୍ୟାକାରୀ

ଭୁବନେଶ୍ୱର: ଭିଏସ୍‌ଏସ୍ ନଗର ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକଙ୍କ ହତ୍ୟା ଘଟଣାର ପରଦା ଫାସ୍ ହୋଇଛି । ବିଶ୍ୱଜିତଙ୍କ ହତ୍ୟା ପଛରେ ମୁଖ୍ୟ ଖଳନାୟକ ହେଉଛନ୍ତି ତାଙ୍କ କେୟାର ଟେକର ଶୁଙ୍କି ରାଣା(୩୬) । ପୁଲିସ ଆଜି ତାକୁ ଗିରଫ କରିଛି । ଝାରସୁଗୁଡ଼ା ଜିଲ୍ଲା ସିଙ୍ଗାପୋକା ଗ୍ରାମର ଶୁଙ୍କି ପୂର୍ବରୁ ତା ଯାଆଙ୍କୁ ହତ୍ୟା କରିଥିଲା । ଯେଉଁଥିପାଇଁ ସେ ଦୀର୍ଘ ୧୨ ବର୍ଷ ଜେଲଦଣ୍ଡ ଭୋଗି ସାରିଛି । ବିଶ୍ୱଜିତ ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ପୁରୀର ଗୋଟିଏ ମଠରେ ବିଶ୍ୱଜିତଙ୍କ ମାଆ ରୁହନ୍ତି । ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ଶୁଙ୍କି ଲୋକ ଲଜ୍ୟାକୁ ଡରି ଘରକୁ ନଯାଇ ଉକ୍ତ ଆଶ୍ରମରେ ଦୀର୍ଘ ୪ ବର୍ଷ ହେଲା ରହୁଥିଲା । ସେହି ମଠକୁ ବିଶ୍ୱଜିତ୍ ନିଜ ମାଆଙ୍କୁ ଭେଟିବା ପାଇଁ ଯାଉଥିଲେ ।

ସେଠାରୁ ଶୁଙ୍କିଙ୍କ ସହ ବିଶ୍ୱଜିତଙ୍କ ପରିଚୟ ହୋଇଥିଲା । ପରେ ପରେ ବିଶ୍ୱଜିତଙ୍କ ଘରକୁ ଶୁଙ୍କି ଯିବା ଆସିବା କରିବାକୁ ଲାଗିଲା । ଶୁଙ୍କିର ପ୍ରେମ ଜାଲରେ ବିଶ୍ୱଜିତ୍ ଏମିତି ଫସିଗଲେ ଯେ ସେ ଆଉ ତାଙ୍କ ପରିବାର ଲୋକଙ୍କୁ ସମୟ ଦେଇପାରିଲେନି ନାହିଁ । ଯାହା ଫଳରେ ବିଶ୍ୱଜିତଙ୍କ ସ୍ତ୍ରୀ ଆଉ ଜଣେ ଯୁବକଙ୍କୁ ପ୍ରେମକରି ତାଙ୍କ ଘର ଛାଡ଼ି ଚାଲି ଯାଇଥିଲେ । ତେବେ ବିଶ୍ୱଜିତ ସମସ୍ତଙ୍କୁ ଶୁଙ୍କି ନିଜର କେୟାରଟେକର ବୋଲି ପରିଚୟ ଦେଇଆସୁଥିଲେ । ଶୁଙ୍କି ଯେବେ ବିଶ୍ୱଜିତଙ୍କ ପାଖକୁ ଆସେ, ବିଶ୍ୱଜିତ ତାକୁ ଆଉ ଆଶ୍ରମ ନଯାଇ ତାଙ୍କ ପାଖରେ ସବୁଦିନ ରହିବା ପାଇଁ କୁହନ୍ତି । ଯେଉଁଥି ପାଇଁ ଶୁଙ୍କି ବିରକ୍ତି ପ୍ରକାଶ କରୁଥିଲା । ଶେଷ ଥର ପାଇଁ ଶୁଙ୍କି ଯେତେବେଳେ ବିଶ୍ୱଜିତଙ୍କ ପାଖକୁ ଆସିଥିଲା ସେତେବେଳେ ବିଶ୍ୱଜିତ ତାକୁ ବିବାହ କଥା କହି ପୁରୀ ଯିବାକୁ ବାରଣ କରିଥିଲେ ।

ଯାହା ଫଳରେ ଶୁଙ୍କି ରାଗିଯାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବିଶ୍ୱଜିତ ଅନ୍ୟମନସ୍କ ଥିବା ବେଳେ ଶୁଙ୍କି ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା । ଯାହାଫଳରେ ବିଶ୍ୱଜିତ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହା ଦେଖି ଶୁଙ୍କି କାହାକୁ କିଛି ନକହି ସେଠାରୁ ଏକ ଅଟୋ ସହାଯ୍ୟରେ ବିଶ୍ୱଜିତଙ୍କ ଫୋନ ନେଇ ପୁରୀ ଚାଲିଯାଇଥିଲା । ବିଶ୍ୱଜିତଙ୍କୁ ତାଙ୍କ ସାନ ଭାଇ ପୂର୍ଣ୍ଣପ୍ରକାଶ ନାୟକ ବାରମ୍ବାର ଫୋନ କରିଥିଲେ ବି ଫୋନ ନ ଲାଗିବାରୁ ସେ ତାଙ୍କ ପୁଅକୁ ବିଶ୍ୱଜିତ ରହୁଥିବା ବାଲିଅନ୍ତା ଥାନା ନିକଟ ହିରାପୁରସ୍ଥ ଘରକୁ ପଠାଇଥିଲେ । ତେବେ ପୂର୍ଣ୍ଣପ୍ରକାଶଙ୍କ ପୁଅ ସେଠାକୁ ଯିବା ପରେ ଘର ବାହାରେ ତାଲା ପଡ଼ିବା ସହ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା ।

ଏନେଇ ସେ ବାପାଙ୍କୁ ଫୋନ କରି ଜଣାଇବା ପରେ ପୂର୍ଣ୍ଣପ୍ରକାଶ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୧୪ ତାରିଖ ଦିନ ପୁଲିସ ଶବ ଜବତ କରି ତଦନ୍ତ କରିବା ଆରମ୍ଭ କରିଥିଲା । ଶବ ଉଦ୍ଧାରର ଦୁଇ ଦିନ ପୂର୍ବରୁ ହତ୍ୟାକାଣ୍ଡ ଘଟିଥିବା ସାଇଣ୍ଟିଫିକ୍ ଟିମ କହିଥିଲା । ତେବେ ବିଶ୍ୱଜିତଙ୍କ ଫୋନକୁ ଟ୍ରାକ୍ କରି ବାଲିଅନ୍ତା ପୁଲିସ ଶୁଙ୍କି ନିକଟରେ ପହଞ୍ଚି ତାକୁ ଗିରଫ କରିଥିଲା । ଶୁଙ୍କି ନିଟରୁ ପୁଲିସ ହତ୍ୟାରେ ବ୍ୟବହାର ହୋଇଥିବା କାଠ ଫାଳିଆ, ଫୋନ ଏବଂ ରକ୍ତ ଭିଜା ଲୁଗା ଜବତ କରିଛି । ପୁଲିସ୍ ଜେରା ପରେ ଶୁଙ୍କି ବିଶ୍ୱଜିତଙ୍କୁ ହତ୍ୟା କରିଥିବା ମାନିଥିବାରୁ ତାକୁ ଦଫା ୩୦୨ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking