ପଜିଟିଭ୍ ପଲିଟିକ୍ସ ଉପରେ ଗୁରୁତ୍ୱ: ବିଜେଡି
ତୃଣମୂଳ ସଂଗଠନ ମଜଭୂତ କରାଯିବ: ବିଜେପି
ନିର୍ବାଚନ ପରିଚାଳନା ପାଇଁ ଅର୍ଥ ସାଜିଛି ବାଧକ: କଂଗ୍ରେସ
ଭୁବନେଶ୍ୱର: ପୌର ନିର୍ବାଚନ ଉଷ୍ମତା ଆରମ୍ଭ ହୋଇଯାଇଛି । କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଭୋଟ୍କୁ ଆଉ ପ୍ରାୟ ତିନିସପ୍ତାହ ବାକି ଥିଲେ ହେଁ ‘ଫ୍ଲୋର୍ ମ୍ୟାନେଜ୍ମେଣ୍ଟ’କୁ ନେଇ ରାଜନୈତିକ ଦଳଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ହେଲେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଆଶାତୀତ ସଫଳତା ପରେ ବିରୋଧୀ ବିଜେପି ଓ କଂଗ୍ରେସ କେତେ ସଫଳତା ପାଇବେ ତା’କୁ ନେଇ ଉଠିଛି ପ୍ରଶ୍ନ । ତେବେ ପୌର ନିର୍ବାଚନ ପାଇଁ ସକାରାତ୍ମକ ରାଜନୀତିକୁ ବିଜେଡି ଗୁରୁତ୍ୱ ଦେଉଥିଲା ବେଳେ ବିଜେପି ତୃଣମୂଳ ସଂଗଠନକୁ ଆହୁରି ମଜ୍ଭୂତ କରିବ ବୋଲି ସଙ୍କେତ ଦେଇଛି । ହେଲେ ନିର୍ବାଚନ ପରିଚାଳନାରେ ଅର୍ଥ ବାଧକ ସାଜିଥିବା କଂଗ୍ରେସ କହିଛି ।
ପୌର ନିର୍ବାଚନ ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଉପରେ ନଜର ପକାଯାଉ । ଏଥର ନିର୍ବାଚନରେ ୮୫୨ ଜିଲ୍ଲା ପରିଷଦ ଆସନରୁ ବିଜେଡି ୭୬୬ ଆସନ ପାଇଥିଲାବେଳେ ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ଆନୁପାତିକ ହାରରେ ଶାସକ ବିଜେଡି ୫୩%, ବିଜେପି ୩୦% ଓ କଂଗ୍ରେସ ୧୪% ଭୋଟ୍ ପାଇଛନ୍ତି । ହେଲେ ରାଜନୈତିକ ବିଷାରଦଙ୍କ ଗଣିତରେ ଚିତ୍ର କିନ୍ତୁ ଭିନ୍ନ । ଯଦି ରାଜ୍ୟରେ ଆନୁପାତିକ ପଦ୍ଧତିରେ ଭୋଟ୍ ହୋଇଥାନ୍ତା, ତାହାଲେ ବିଜେଡି ୮୫୨ ଜିଲ୍ଲା ପରିଷଦ ଆସନରୁ ୪୪୩ ଆସନ ପାଇଥାନ୍ତା ଏବଂ ବିଜେପି ୨୫୫ ଆସନ ଓ କଂଗ୍ରେସ ୧୧୦ଟି ଆସନ ଅକ୍ତିଆର କରିଥାନ୍ତା । ହେଲେ ତାହା ହୋଇନାହିଁ । ଏହାର କାରଣ ହେଉଛି ବିଜେଡି ଏହି ଗଣିତକୁ ପ୍ରଥମରୁ ଆକଳନ କରି ୨୯୦ରୁ ଅଧିକ ଆସନ ପାଇବାକୁ ସକ୍ଷମ ହୋଇଛି । ଚାରି ଜିଲ୍ଲା ପରିଷଦରେ ବିରୋଧୀଦଳ ଗୋଟିଏ ବି ଆସନ ଜିତିପାରି ନାହାନ୍ତି । ତେଣୁ ପୌର ନିର୍ବାଚନରେ ବି ସେହି ଷ୍ଟ୍ରାଟେଜି ଆପଣେଇବ ଶାସକ ଦଳ ।
ଏଥର କୋର୍ଟରେ ମାମଲା ଯୋଗୁଁ ଦୁଇ ମହାନଗର ନିଗରେ ଭୋଟ୍ ହେଉନାହିଁ । ସେହି ଦୁଇ ମହାନଗରନିଗମ ହେଉଛନ୍ତି ସମ୍ବଲପୁର ଓ ରାଉରକେଲା । ଏହାକୁ ଛାଡ଼ି ବାକି କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଭଳି ତିନି ମହାନଗର ନିଗମରେ ଭୋଟ୍ ହେବ । ଏହି ୩ ପୌର ନିଗମ ସହ ୧୦୬ ପୌର ପରିଷଦ ସାଧାରଣ ନିର୍ବାଚନ ହେବ । ୩ଟି ମହାନଗର ନିଗମରେ ମୋଟ୍ ୧୬୮ ୱାର୍ଡର ୧୪୦୭ଟି ବୁଥ୍ ଥିବାବେଳେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର୍ ଥିବାବେଳେ ୧୦୬ ପୌର ପରିଷଦରେ ମୋଟ୍ ୧୭୩୧ ୱାର୍ଡର ୩,୦୩୦ ବୁଥ୍ ଏବଂ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ । ମାର୍ଚ୍ଚ ୨୪ରେ ଭୋଟ୍, ୨୬ରେ ଗଣତି । ତେବେ ନୂତନ ଭାବେ ଗଠିତ ହୋଇଥିବା ରେମୁଣା, ଚାନ୍ଦବାଲି, ଧାମନଗର ଏବଂ ବିଜେପୁର ଏନ୍ଏସିରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ । ହିନ୍ଦୋଳ ଓ ଅତାବିରା କାର୍ଯ୍ୟକାଳ ଶେଷ ହୋଇନ ଥିବାରୁ ଭୋଟ୍ ହେବନି ।
ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନକୁ ବିଜେଡି ହାଲୁକା ଭାବେ ନେଇ ନଥିବା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାରୁ ଜଣାପଡ଼ୁଛି । ସେ ବିରୋଧୀକଙ୍କ ଅପପ୍ରଚାରକୁ ସତର୍କ ରହିବାକୁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସକରାତ୍ମକ ତଥା ସତ୍ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ । ପଞ୍ଚାୟତ ନିର୍ବାଚନରେ ଯେପରି କଠିନ ପରିଶ୍ରମ ଯୋଗୁଁ ସଫଳତା ମିଳିଛି, ପୌର ନିର୍ବାଚନରେ ବି ସେହିି ଉଦ୍ୟମ ଜାରି ରହିବା ଜରୁରୀ । ଏହାଦ୍ୱାରା ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ ସମ୍ଭବ ହେବ । ଛଳନାର ରାଜନୀତି ଓଡ଼ିିଶାରେ କାମ କରିବନାହିଁ ।
ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପଞ୍ଚାୟତ ନିର୍ବାଚନରେ ହୋଇଥିବା ଭୁଲ୍ ପୌର ନିର୍ବାଚନରେ ତାହା ପୁନରାବୃତ୍ତି କରି ଦେବୁ ନାହିଁ । ଫ୍ଲୋର୍ ମ୍ୟାନେଜମେଣ୍ଟ ବା ତୃଣମୂଳ ସଂଗଠନକୁ ଆହୁରି ମଜଭୂତ୍ କରାଯିବ । ତେବେ ଦଳ ପାଇଁ ରାଜ୍ୟରେ ବଳିଷ୍ଠ ନେତୃତ୍ୱର ଆବଶ୍ୟକତା ରହିଛି । ଏହା ୁପରେ ତର୍ଜମା ଚାଲିଛି ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ହତାଶ କଂଗ୍ରେସ ଭିନ୍ନ ମତ ଦେଇଛି । ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ୨୦୧୭ ପଂଚାୟତ ନିର୍ବାଚନ ବେଳେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବିଜେପି ସରକାର ଥିଲା । ପ୍ରଚୁର ଟଙ୍କା ଆସୁଥିଲା । ଏଥର ସେଠି ବିଜେପି ସରକାର ନାହିଁ। ସେ ଆଡୁ ଟଙ୍କା ଆସିଲା ନାହିଁ । ଭୋଟ୍ ମିଳିଲା ନାହିଁ । କଂଗ୍ରେସର ଟଙ୍କା ଆସୁନି । ଗୋଟିଏ ପ୍ରାର୍ଥୀକୁ ୨୫ ହଜାର । ଏଥିରେ କଣ ହେବ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିବା ସହିତ ଅର୍ଥ ବାଧକ ସାଜିଛି ବୋଲି କହିଥିଲେ ।
ଉଲ୍ଲେଖନୀୟ ଯେ, ମାର୍ଚ୍ଚ ଦୁଇରୁ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲାବେଳେ ତାହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୯ରେ ମନୋନୟନ ପତ୍ରଗୁଡିକର ତନଖି ହେବ ଏବଂ ମାର୍ଚ୍ଚ ୧୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର,ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୯ରେ ବିଜୟୀ ପ୍ରାର୍ଥୀଙ୍କର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ସହ ଏପ୍ରିଲ ୭ରେ ମ୍ୟୁନିସିପାଲିଟି, ଏନ୍ଏସିରେ ଉପାଧ୍ୟକ୍ଷ ପଦବୀ ନିର୍ବାଚନ ହେବ । ଏପ୍ରିଲ ୮ରେ ୩ଟି ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।