ବ୍ରହ୍ମପୁର: ୨୮ ବର୍ଷ ପରେ ବନ୍ଧାହେଲା ହତ୍ୟାକାରୀ । ଚେନ୍ନାଇରେ ହତ୍ୟାକାଣ୍ଡ ଭିଆଇ ଧରାପଡ଼ିଛି ବ୍ରହ୍ମପୁରରୁ । ଅଭିଯୁକ୍ତକୁ ଶାଶୂହତ୍ୟା ମାମଲାରେ ଧରିଛି ଚେନ୍ନାଇ ପୁଲିସ । ଅଭିଯୁକ୍ତ ହେଲେ ବ୍ରହ୍ମପୁର ଅଞ୍ଚଳର ହରିହର ପାଟ୍ଟଯୋଶୀ । ପାରିବାରିକ କଳହରୁ ସେ ଚେନ୍ନାଇରେ ତାଙ୍କ ଶାଶୂ ରମାଙ୍କୁ ୧୯୯୮ ମସିହା ଅଗଷ୍ଟ ୯ ତାରିଖରେ ହତ୍ୟା କରିବା ସହ ପତ୍ନୀ ଓ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଥିଲା ।
ଏନେଇ ଚେନ୍ନାଇର ଆଡମ୍ବକ୍କାମ୍ ଥାନାରେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ହରିହର ଫେରାର ଥିଲା । ବ୍ରହ୍ମପୁର ଏବଂ ଚେନ୍ନାଇ ପୁଲିସର ମିଳିତ ଉଦ୍ୟମରେ ତାକୁ ଗିରଫ କରାଯାଇଛି । ବ୍ରହ୍ମପୁର ଏସ୍ପି ଡାକ୍ତର ଶରବଣା ବିବେକ ଏମ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ହରିହର ଚେନ୍ନାଇସ୍ଥିତ ଏକ ପ୍ରିଣ୍ଟିଂ ପ୍ରେସ୍ରେ କାମ କରୁଥିଲା । ସେହି ଅଞ୍ଚଳରେ ଗୋଟିଏ ଟେଲି ମାର୍କେଟିଂ ସଂସ୍ଥାରେ କାର୍ଯ୍ୟ କରୁଥିବା ଇନ୍ଦିରାଙ୍କୁ ସେ ପ୍ରେମବିବାହ କରିଥିଲା । କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।
ଫଳରେ ଇନ୍ଦିରା ଚେନ୍ନାଇର କୋର୍ଟରେ ଛାଡ଼ପତ୍ର ପାଇଁ ନିବେଦନ କରିଥିଲେ । ଏହି ପଦକ୍ଷେପ ନେଇଥିବା ଯୋଗୁଁ କ୍ରୋଧିତ ହୋଇ ହରିହର ସ୍ତ୍ରୀ ଇନ୍ଦିରା, ଶାଶୂ ରମା ଏବଂ ଶାଳକ କାର୍ତ୍ତିକଙ୍କୁ ଛୁରାମାଡ଼ କରିଥିଲା । ଆକ୍ରମଣରେ ଶାଶୂ ରମାଙ୍କର ମୃତ୍ୟୁ ହୋଇଥିବାବେଳେ ଇନ୍ଦିରା ଏବଂ କାର୍ତ୍ତିକ ଗୁରୁତର ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ହତ୍ୟାକାଣ୍ଡକୁ ନେଇ ଆଡ଼ାମ୍ବାକାମ ପୁଲିସ ଥାନାରେ ମାମଲା ଋୁଜୁ ହୋଇଥିଲା । କିନ୍ତୁ ହରିହର ଫେରାର ହୋଇଯାଇଥିଲା । ସେଠାରୁ ସେ ଓଡ଼ିଶା ଆସି ବିଭିନ୍ନ ଅଞ୍ଚଳରେ ରହୁଥିଲା । ଏଭଳିକି ଆସ୍କାର ଜଣେ ବନ୍ଧୁ ପାଖରେ ରହିଥିବା କୁହାଯାଇଛି ।
ଗତ ୨୦୦୧ରେ ହରିହର ପୁନଃ ବିବାହ କରିଛି । ଇତିମଧ୍ୟରେ ଚେନ୍ନାଇର ପୁଲିସ ଏସ୍ଆଇ କନ୍ନନଙ୍କ ନେତୃତ୍ୱରେ ଏକ ଟିମ୍ ଗୋସାଇଁ ନୂଆଗାଁ ଥାନାକୁ ଆସି ସହଯୋଗ ଲୋଡ଼ିଥିଲେ । ବ୍ରହ୍ମପୁର ଏସ୍ପି ଡାକ୍ତର ଶରବଣାଙ୍କ ନିର୍ଦ୍ଦେଶକ୍ରମେ ଗୋସାଇଁ ନୁଆଗାଁ ପୁଲିସ ଅଧିକାରିଣୀ ସ୍ମୃତି ପ୍ରଧାନ ଏକ ଟିମ୍ ଗଠନ କରି ଏକ ସପ୍ତାହ କାଳ ତନାଘନା ପରେ ଅଭିଯୁକ୍ତର ସନ୍ଧାନ ପାଇଥିଲେ । ଅଭିଯୁକ୍ତ ଫେରାର୍ ହେବା ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରାଯାଇଛି ।