ପାଟଣାଗଡ: ଦୁଃଖ ଯେତେବେଳେ ଆସେ, ସାଥି ସହଚରଙ୍କୁ ସାଙ୍ଗରେ ନେଇ ଆସିଥାଏ । ସେ ଧନୀ-ଗରିବ, ଉଚ୍ଚ-ନୀଚ୍ଚର ଭେଦଭାଦ ଦେଖେନାହିଁ । ଫଳରେ ଜୀବନଟା ଦୁର୍ବିସହ ହୋଇପଡ଼େ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀ ଗାଁର କେନାଲ ପଡ଼ାର ବିଧବା ମହିଳା ମୁକ୍ତାଙ୍କ କ୍ଷେତ୍ରରେ । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ମୁକ୍ତାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ଘରେ ଏକମାତ୍ର ପୁତ୍ରକୁ ନେଇ ରହୁଛନ୍ତି ମୁକ୍ତା । ଅର୍ଥାଭାବ ଯୋଗଁ ଭାରସସାମ୍ୟ ହରାଇ ଅତି ଦୟନୀୟ ଭାବରେ ଦିନ କାଟୁଛନ୍ତି । ଦୀର୍ଘ ୧୫ ବର୍ଷ ହେବ ସେମାନେ ଛପର ନଥିବା ଏକ ଘରେ ଜୀବନ ଅତିବାହିତ କରୁଥିବାବେଳେ ସେମାନଙ୍କ ଦୟନୀୟ ଅବସ୍ଥା ଉପରେ ପ୍ରଶାସନର ନଜର ପଡ଼ିପାରିନାହିଁ ।
ଗ୍ରାମବାସୀଙ୍କ ଦୟାରେ ଏକ ପଲିଥିନ ଢାଙ୍କି ଦିଆଯାଇଛି ଘର ଉପରେ । ସେଇଠି ଦିନ କାଟନ୍ତି ୬୦ ବର୍ଷ ବୟସ୍କା ବିଧବା ମୁକ୍ତା ପଧାନ ଏବଂ ୩୫ ବର୍ଷର ପୁଅ ପର୍ଶୁ । ଉଭୟେ ମାନସିକ ଭାରସାମ୍ୟ ହରାଇ ଅସହାୟ ଭାବେ ପଡ଼ିରହିଛନ୍ତି । ବର୍ଷା ହେଲେ ଗାଁର ଆମ୍ବ ଗଛ କିମ୍ବା ନିମ୍ବ ଗଛ ତଳ ସେମାନଙ୍କ ଆଶ୍ରୟସ୍ଥଳୀ ପାଲଟିଥାଏ । ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କ ନାମ ନାହିଁ । ସରକାରୀ ସାହାଯ୍ୟ କହିଲେ କେବଳ ବିଧବା ଭତ୍ତା ପାଉଛନ୍ତି ମୁକ୍ତା ।ଫଳରେ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡ଼େ ମା’-ପୁଅଙ୍କୁ । ଉଭୟ ମାନସିକ ଅନଗ୍ରସର ହୋଇଥିବାରୁ କେବେ କାହାରିକୁ ନିଜର ଦୁଃଖ ଜଣାଇବାକୁ ଯାଇପାରନ୍ତି ନାହିଁ । ଗତ ୧୫ ବର୍ଷ ଧରି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଅଧ୍ୟକ୍ଷ, ବିଧାୟକ, ବିଡିଓ, ତହସିଲଦାର, ଉପଜିଲ୍ଲାପାଳ ଏବଂ ବହୁ ରାଜନେତା ଏବଂ ସରକାରୀ ବାବୁ ଦେଖିଛନ୍ତି ମା-ପୁଅର ଦୁର୍ଦ୍ଦଶା । ପ୍ରତିଶ୍ରୁତି ଦେଇଛନ୍ତି, ପୁଣି ଭୁଲିଯାଇଛନ୍ତି ।
ଏମାନଙ୍କ ଦୟନୀୟ ସ୍ଥିତି ବିଷୟରେ ଗ୍ରାମର ପିଙ୍କି ପଧାନ, ହରି ମେହେର, ଚୈତନ ପଧାନ, ବିନୋଦିନୀ ପଧାନ ଏବଂ ଅନ୍ୟମାନେ ସରକାରୀ କଳକୁ ଅବଗତ କରାଇଛନ୍ତି । କୌଣସି ମତେ ମା-ପୁଅଙ୍କୁ ଆବାସ ଯୋଜନାରେ ଖଣ୍ଡେ ଘର, ଖାଦ୍ୟ ସରୁକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଏବଂ ମାନସିକ ରୋଗୀ ଭାବରେ ଭତ୍ତା ଯୋଗାଇ ଦେବା ସହ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବାକୁ ଦୃଢ଼ ଦାବି କରିଛନ୍ତି ଗ୍ରାମବସୀ । ତଥାପି ତାଙ୍କ ଦୁଃଖ ସରିନି । ଏ ସର୍ମ୍ପକରେ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ବିଷୟରେ ମୁଁ ଆପଣମାନଙ୍କ ଠାରୁ ଜାଣିବାକୁ ପାଇଲି । ଖୁବ୍ଶୀଘ୍ର ସେହି ଗ୍ରାମକୁ ଏକ ଟିମ୍ ପଠାଇ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ।