ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ର ନାମକ ଜନୈକା ମହିଳାଙ୍କର ଫିକ୍ସ ଡିପୋଜିଟ୍ ଓ ସେଭିଂସ୍ ଖାତାରୁ ୧୨ଲକ୍ଷ ୪୫ହଜାର ଟଙ୍କା ସାଇବର ଅପରାଧୀ ଠକି ନେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ସହରର ଇଣ୍ଡସ୍ଇଣ୍ଡ ବ୍ୟାଙ୍କରେ ତାଙ୍କର ୧୦ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଓ ୨ଲକ୍ଷ ୫୦ହଜାର ଟଙ୍କାର ସେଭିଂସ୍ ଆକାଉଣ୍ଟ ଥିଲା । ଗତ ୨୮ତାରିଖରେ ଫିକ୍ସ ଡିପୋଜିଟ୍ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଚାଲିଯିବା ପରେ ଆଜି ୨୯ତାରିଖରେ ଜ୍ୟୋତ୍ସ୍ନା ପାତ୍ର ଓ ତାଙ୍କ ସ୍ୱାମୀ ଉଭୟ ବ୍ୟାଙ୍କ ମ୍ୟାନେଜରକୁ ଭେଟି ଅଢ଼େଇ ଲକ୍ଷ ଟଙ୍କାକୁ ବ୍ଲକ୍ କରିବାକୁ ନିବେଦନ କରିଥିଲେ ।
ହେଲେ ସେମାନେ ତାଙ୍କୁ ସାଇବାର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇ ଆକାଉଣ୍ଟକୁ ବ୍ଲକ୍ କରିଦେଇଥିଲେ । ହେଲେ ସେମାନଙ୍କ ଉପସ୍ଥିତିରେ ଆଉ ୨ଲକ୍ଷ ୪୫ହଜାର ଟଙ୍କା ଚଳୁ କରିନେଇଥିବା ଅଭିଯୋଗ କରିଛନ୍ତି ଜ୍ୟୋତ୍ସ୍ନା ଓ ତାଙ୍କ ସ୍ୱାମୀ । ଏ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ବ୍ୟାଙ୍କକୁ ଆସି ନଥିଲେ କିମ୍ବା ପ୍ରତିକ୍ରିୟା ଦେଇ ନଥିଲେ । ମହିଳାଜଣକ ହତାଶ ହୋଇ ବ୍ୟାଙ୍କ କର୍ମଚାରୀଙ୍କ ଅପାରଗତାକୁ ଦାୟୀକରି ସାଇବର ଥାନାରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି ।