ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଓ୍ବିଙ୍ଗ୍ ଫ୍ୟାନ୍ରେ ଶୁକ୍ରବାର ନିଆଁ ଲାଗିଯିବା ପରେ ଜରୁରୀ ଅବତରଣ କରିଥିଲା । ଦିଲ୍ଲୀରୁ ବେଙ୍ଗାଲୁରୁ ଯିବାକୁ ଥିବା ବିମାନ ଟେକ୍ ଅଫ୍ କରିବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ରନଓ୍ବେରେ ନିଆଁ ଦେଖିବାକୁ ମିଳିଥିଲା । ଯାହା ଫଳରେ ବିମାନ ଉଡାଣ ବାତିଲ କରାଯାଇଥିଲା । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ବିମାନରେ ମୋଟ ୧୮୪ ଜଣ ଯାତ୍ରୀ ଯାଉଥିଲେ । ଆଶ୍ବସ୍ତିକର କଥା ହେଉଛି ଉଡାଣର ମାତ୍ର କିଛି ସେକେଣ୍ଡ ପୂର୍ବରୁ ହିଁ ଏଭଳି ଘଟଣା ବାବଦରେ ଜଣାପଡିଥିଲା । ଯେଉଁଥି ପାଇଁକି ସମୟ ଥାଉ ଥାଉ ଏକ ବଡ ବିପଦ ଟଳିଯାଇଥିଲା ।
ଚଳିତ ବର୍ଷ ବିମାନରେ ଯାନ୍ତ୍ରୀକ ତ୍ରୁଟି ଅହେତୁକ ବୃଦ୍ଧି ପାଇଛି । ୨୦୨୧ ଜୁଲାଇ ୧ ତାରିଖରୁ ୨୦୨୨ ଜୁନ ୩୦ ମଧ୍ୟରେ ଏଭଳି ୪୭୮ଟି ତ୍ରୁଟି ସାମ୍ନାକୁ ଆସିଲାଣି । ସେଥି ମଧ୍ୟରୁ ଏୟାର ଇଣ୍ଡିଆର ସର୍ବାଧିକ ୧୮୪ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖିବାକୁ ମିଳିଥିଲା । ସେହିଭଳି ଇଣ୍ଡିଗୋ ଏୟାରଲାଇନ୍ସର ୯୮ଟି ବିମାନରେ ଯାନ୍ତ୍ରୀକ ତ୍ରୁଟି ସାମ୍ନାକୁ ଆସିଥିବା ବେଳେ ସ୍ପାଇସଜେଟର ୭୭ଟି, ପେହେଲେ ଯାଓର ୫୦ଟି, ବିସ୍ତାରା ୪୦ଟି, ଏୟାର ଏସିଆ ଇଣ୍ଡିଆର ୧୪ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୦ଟି ଏବଂ ଏଲାୟନ୍ସ ଏୟାରର ମୋଟ ୫ଟି ବିମାନରେ ଯାନ୍ତ୍ରୀକ ତ୍ରୁଟି ଘଟଣା ସାମ୍ନାକୁ ଆସିଥିଲା ।
ସ୍ପାଇସ୍ ଜେଟରେ ଏକାଧିକ ବିମାନରେ ଯାନ୍ତ୍ରୀକ ତ୍ରୁଟି ସାମ୍ନାକୁ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏୟାରଲାଇନ୍ସର ସମସ୍ତ ବିମାନ ୫୦ ପ୍ରତିଶତ କ୍ଷମତାରେ ଯାତ୍ରୀ ନେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା । ଏହି ନିର୍ଦ୍ଦେଶ ଅକ୍ଟୋବର ୨୯ ଯାଏଁ ଲାଗୁହେବ । ଯାହାକି ଆଜି ଅର୍ଥାତ ଶନିବାର ଶେଷ ହେଉଛି । ରବିବାର ଠାରୁ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ସ୍ପାଇସ୍ ଜେଟ୍ ବିମାନ ।