30.1 C
Bhubaneswar
Saturday, October 5, 2024
Homeଓଡିଶା୨୫ବର୍ଷ ଲଢ଼େଇ କରି ଗାଁକୁ ଫିଟାଇଥିଲେ ବାଟ : ଏବେ ରୋଗାକ୍ରାନ୍ତ ହୋଇ ଜୀବନ ସହ...

୨୫ବର୍ଷ ଲଢ଼େଇ କରି ଗାଁକୁ ଫିଟାଇଥିଲେ ବାଟ : ଏବେ ରୋଗାକ୍ରାନ୍ତ ହୋଇ ଜୀବନ ସହ ଲଢୁଛନ୍ତି

ନୟାଗଡ଼: ଦିନଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ । ପ୍ରଶାସନ ଯାହା କରିପାରିନଥିଲା ତାହାକରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଦିନରାତି ଏକ କରି ଗାଁକୁ ନିତିଦିନିଆ ବାଟ ଫିଟାଇଥିଲେ । ବିଶାଳ ପାହାଡ଼କୁ ନିହାଣ ମୁନରେ କାଟି ପ୍ରଶାସନର ଆଖିଖୋଲି ଦେଇଥିଲେ । ଆମେ କହୁଛୁ ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ତୁଲୁବି ଗାଁର ହରି ବେହେରାଙ୍କ କଥା । ଯେଉଁ ବ୍ୟକ୍ତି ୨୫ ବର୍ଷ ଲଢ଼େଇ କରି ଗ୍ରାମକୁ ରାସ୍ତା ଫିଟାଇଥିଲା ସେ ଏବେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗୋଟିଏ କିଡ୍‌ନୀ ଖରାପ ହୋଇଥିବାରୁ ସେ ଏବେ ଶର୍ଯ୍ୟାଶାୟୀ । ଅର୍ଥ ଅଭାବରୁ ସେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ନୟାଗଡ଼ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରି ଆସିଛନ୍ତି । ତାଙ୍କର ଏକମାତ୍ର ୩ ବର୍ଷର ପୁଅ ଏବଂ ଦୁଇପତ୍ନୀ ଚିକିତ୍ସା ନିମେନ୍ତ ସହାୟତା କରିବାକୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ, ତୁଲୁବି ଗ୍ରାମର ହରି ବେହେରା (୫୨) ୧୯୭୦ ମସିହାରେ ନିପଟ ଆଦିବାସୀ ଗାଁରେ ଜନ୍ମଗ୍ରହଣ କରିଥିଲେ । ଗାଁକୁ ରାସ୍ତା ପାଇଁ ତୁଲୁବି ଗ୍ରାମବାସୀ ବାରମ୍ଭାର ପ୍ରଶାସନ ପାଖରେ ଦାବି କରାଯାଇଥିଲା ।

ଏମିତିକି ତତ୍କାଳୀନ ବିଧାୟକଙ୍କୁ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବିକରି ନିରାଶ ହୋଇଥିଲେ । ଆଦିବାସୀ ଜଙ୍ଗଲ ମଧ୍ୟଦେଇ ଚଲାପାଦରେ ଯିବାଆସିବା କରୁଥିବା ବେଳେ ଘରକୁ ସମ୍ପର୍କୀୟ ଆସିବାକୁ ହେଲେ ଜଙ୍ଗଲିଆ ରାସ୍ତାରେ ଆସୁଥିଲେ ନଚେତ୍ ଅଧାରାସ୍ତାରୁ ଫେରିଯାଉଥିଲେ । ଏହା ଦେଖି ହରି ବେହେରା ୧୬ ବର୍ଷ ବୟସରେ ରାସ୍ତା ତିଆରି କରିବାକୁ ସଂକଳ୍ପ ନେଇ ହାତରେ ହାତୁଡ଼ି, ନିହଣଧରି ପାହାଡ଼ ଭାଙ୍ଗିବାରେ ମନ ବଳାଇଥିଲେ । ତାଙ୍କ ବଡ଼ଭାଇ କୃଷ୍ଣ ବେହେରା ମଧ୍ୟ ହରିଙ୍କୁ ସହଯୋଗ କରିଥିଲେ । ଦୁଇଭାଇ ଦିନରାତି ଏକକରି ୨୫ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ୧ କିଲୋମିଟର ପାହାଡ଼ଭାଙ୍ଗି ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଥିଲେ । ତାଙ୍କର ସଫଳତା ପରେ ପ୍ରଶାସନ ଗାଁକୁ ମାଟିପକାଇ ରାସ୍ତାନିର୍ମାଣ କରିଥିବା ଜଣାପଡ଼ିଛି ।

୧୦ବର୍ଷ ତଳୁ ବଡ଼ଭାଇ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ଗତ ୩ବର୍ଷ ତଳେ ହରି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ଚିକିତ୍ସା ପାଇଁ ସେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ନୟାଗଡ଼ ମେଡିକାଲକୁ ଯାଇଥିବା ବେଳେ ଅର୍ଥ ଅଭାବରୁ ଫେରି ଆସିଛନ୍ତି । ତାଙ୍କର ବାମପଟ କିଡ଼ନୀ ନଷ୍ଟ ହୋଇଥିବା ଡାକ୍ତର କହିଥିବା ବେଳେ ହରି ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପାଖରେ ଆର୍ôଥକ ସମ୍ବଳ ନଥିବାରୁ ସେ ଘରେ ପଡ଼ି ରହିଛନ୍ତି । ଗତ ୮ଦିନ ହେବ ସେ ସମ୍ପୂର୍ଣ୍ଣ ଶର୍ଯ୍ୟାଶାୟୀ ହୋଇଯାଇଛନ୍ତି । କଥାବାର୍ତ୍ତା ବନ୍ଦକରିବା ସହ ଅଖିଆ ଅପିଆ ପଡ଼ିଛନ୍ତି । ତାଙ୍କର ଦୁଇପତ୍ନୀ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ପ୍ରଥମ ପତ୍ନୀ କାଦମ୍ବିନୀଙ୍କ କୌଣସି ସନ୍ତାନ ଜନ୍ମ ନହେବାରୁ ସେ ପାର୍ବତୀ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ଏକ ପୁତ୍ର ସନ୍ତାନ ରହିଛି । ହରିଙ୍କ ଚିକିତ୍ସା ପାଇଁ ସହୃଦୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି । ଏମିତି ଜଣେ ସଫଳ ମଣିଷକୁ ବଞ୍ଚାଇବା ପାଇଁ ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking