17.1 C
Bhubaneswar
Sunday, November 24, 2024
Homeଓଡିଶାଚିକିତ୍ସାରେ ଅର୍ଥ ସାଜିଛି ବାଧକ : ସର୍ଦ୍ଦାର ଏବେ ଭଉଣୀ ଉପରେ ବୋଝ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ସର୍ଦ୍ଦାର ଏବେ ଭଉଣୀ ଉପରେ ବୋଝ

କେନ୍ଦୁଝର : ଯୋଡ଼ା ଭଳି ଖଣିପ୍ରବଣ ଅଞ୍ଚଳର ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ରତାର ଏକ ନିଚ୍ଛକ ଛବି ଦେଖିବାକୁ ମିଳିଛି ଏହି ବ୍ଲକ ଅନ୍ତର୍ଗତ କଣ୍ଡରା ପଞ୍ଚାୟତର ଦାମପୁର ମୁଣ୍ଡା ସାହିରେ । ଦିନେ ପରିବାର ଚଳାଉଥିବା ସର୍ଦ୍ଦାର ମୁଣ୍ଡା ଚିକିତ୍ସା ଅଭାବରୁ ଏବେ ଭଉଣୀ ଉପରେ ବୋଝ ପାଲଟିଛନ୍ତି । ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସର୍ଦ୍ଦାରଙ୍କ ବାପା ଓ ମା’ କେବେଠୁ ଆରପାରିକୁ ଚାଲିଗଲେଣି । ଭାଇ ଓ ଭଉଣୀମାନଙ୍କୁ ପୋଷିବା ପାଇଁ ସର୍ଦ୍ଦାର ଦିନେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଦଇବ ତାଙ୍କ ପାଇଁ କାଳ ସାଜିଲା। ଏକ ଅଜଣା ରୋଗରେ ସେ ଅକର୍ମଣ୍ୟ ହୋଇପଡ଼ିଲେ । ତାଙ୍କର ଏହି ଦୁରାବସ୍ଥା ଦେଖି ଅନ୍ୟ ଭାଇ ଭଉଣୀମାନେ ତାକୁ ଛାଡି ଚାଲିଯାଇଥିବା ବେଳେ ଭଉଣୀ ସୁମି ଉପରେ ସେ ଏବେ ସମ୍ପୂର୍ଣ୍ଣ ଭାବେ ବୋଝ ପାଲିଟିଯାଇଛନ୍ତି ।

ଗୋଟିଏ କତରାରେ ଦିନରାତି ବଖୁରିଏ ଘରର ଚାରିକାନ୍ଥ ଭିତରେ ସେ ପଡିରହୁଥିବା ଦେଖିବାକୁ ମିଳିଛି । ରାତି ପାହିଲେ ଭଉଣୀ ସୁମି ସର୍ଦ୍ଦାରଙ୍କ ନିତ୍ୟକର୍ମ ସାରିବା ପରେ ଖାଇବାକୁ ରଖି ମଜୁରି ଲାଗିବାକୁ ଚାଲିଯାଆନ୍ତି । ଦିନ ତମାମ ସର୍ଦ୍ଦାର ସେହି କତରା ଉପରେ ପଡ଼ିରହିଥାନ୍ତି । କତରାରେ ପଡ଼ି ତାଙ୍କ ପିଠିରେ ଏବେ ଘା’ ହେବାରେ ଲାଗିଲାଣି । ମଜୁରିରୁ ଫେରି ଭଉଣୀ ଲାଗିପଡ଼ନ୍ତି ସର୍ଦ୍ଦାରଙ୍କ ସେବାରେ । ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ୱ ହେବ ଏହିଭଳି ପରିସ୍ଥିତି ଚାଲିଛି ।

ଗରିବ ଆଦିବାସୀଙ୍କ ଚିକିତ୍ସା ସହାୟତା ପାଇଁ ସରକାର ବିଭିିନ୍ନ ଯୋଜନାମାନ ପ୍ରଣୟନ କରୁଥିବାବେଳେ ତାଙ୍କ ଘରଠାରୁ ଅଳ୍ପ ଦୂରରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସେଠାକୁ ବାରମ୍ବାର ଯାଇ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ତେବେ ସର୍ଦ୍ଦାରଙ୍କ ଉତ୍ତମ ଚିକିତ୍ସା ପାଇଁ ବୁଧବାର ପଞ୍ଚାୟତ ସମିତି ବୈଠକରେ ଚମ୍ପୁଆ ବିଧାୟିକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ଏବଂ ଡାକ୍ତରଖାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବାକୁ ଦାବି ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking