ମହାକାଳପଡ଼ା: ଆଦିବାସୀ ସମ୍ପ୍ରଦାୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସେମାନଙ୍କର ପିଲାମାନେ ପାଠ ପଢ଼ିବା ପାଇଁ ସରକାରଙ୍କର ଯୋଜନାର ଲମ୍ବ କାହିଁ କେତେଦୂର । ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ ସରକାରଙ୍କ ଆଦିବାସୀ ବିଭାଗ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଏପରିକି ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଞ୍ଚାଇବା ପାଇଁ ସରକାରଙ୍କର ଯୋଜନା ପରେ ଯୋଜନା । କିନ୍ତୁ ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ା ଗ୍ରାମରେ ଜଣେ ଆଦିବାସୀ ଯୁବତୀ ଅର୍ଥାଭାବରୁ ବସ୍ତାନିରେ ଡୋରି ବାନ୍ଧିଛନ୍ତି । ପିଲାଟି ଦିନରୁ ବାପ ମା’ଙ୍କୁ ହରାଇଥିବା ଏହି ଯୁବତୀ ମାଟ୍ରିକ ପାସ୍ ପରେ ଏହି ଅର୍ଥାଭାବ ପାଇଁ ଘରର ଚାରିକାନ୍ଥ ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ।
ସରକାରଙ୍କ ନିକଟରେ ଆକୁଳ ନିବେଦନ କରି କହିଛନ୍ତି, ମୋତେ ପାଠ ପଢ଼ାଅ । ମୁଁ ପାଠ ପଢ଼ିବି । ସେ ହେଲେ ରଞ୍ଜିତା ନାୟକ । ପିଲାଟି ଦିନରୁ ବାପା ସହଦେବ ଓ ମା’ କବିତାଙ୍କୁ ହରାଇଛନ୍ତି । ରଞ୍ଜିତାଙ୍କୁ ୩ ବର୍ଷ ହୋଇଥିବାବେଳେ ବାପା ଟିବି ରୋଗରେ ଆରପାରିକୁ ଚାଲିଗଲେ । ଏହାର ଦୁଇବର୍ଷ ପରେ ମା’ କବିତା ଟିବି ଓ କ୍ୟାନସର ରୋଗରେ ପୀଡ଼ିତ ହୋଇ ସବୁଦିନ ପାଇଁ ସଂସାରରୁ ବିଦାୟ ନେଇଗଲେ । ଅସହାୟ ଅବସ୍ଥାରେ ପଡ଼ିଥିଲେ ରଞ୍ଜିତା । ବଡ଼ବାପା ସୁଧାଂଶୁ ନାୟକଙ୍କ ପାଖରେ ରଞ୍ଜିତା ରହୁଥିଲେ । କିଛି ଦିନ ପରେ ପାଟଳିପଙ୍କ ସ୍ଥିତ ନବଦ୍ୱୀପ ଲୁଥେରାନ୍ ମହିଳା ସମିତିରେ ପଞ୍ଚମରେ ପାଠପଢ଼ିଥିଲେ ରଞ୍ଜିତା ।
ଏହା ପରେ ୧୦ମ ପାସ୍ କଲେ । ଏବେ +୨ ପଢ଼ାଇବା ପାଇଁ ବଡ଼ବାପା ଆର୍ଥକ ଦୃଷ୍ଟିକୋଣରୁ ଅକ୍ଷମ । ବଡ଼ବାପାଙ୍କ ପରିବାର ବର୍ଷକର ୩୬୫ ଦିନ ସରକାରଙ୍କର ଟଙ୍କିକିଆ ଚାଉଳ ଉପରେ ଭରସା କରି ଚଳନ୍ତି । ଜମି ଓ ବାଡ଼ି ନଥିବା ବଡ଼ବାପାଙ୍କ ପକ୍ଷରେ ରଞ୍ଜିତାଙ୍କୁ ପାଠପଢ଼ାଇବା କଷ୍ଟକର ବ୍ୟାପାର । ଏ ଖବର ପଦାକୁ ଆସିବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ରଞ୍ଜିତାଙ୍କ ନିକଟରେ ପହଞ୍ଚିଥିଲେ । ରଞ୍ଜିତାର ଆକୁଳ ନିଦେଦନ ଓ କୋହଭରା ଆବେଦନ ସରକାରଙ୍କ ନିକଟରେ ପହଞ୍ଚିପାରିଲେ, ସେ ପାଠ ଦୁଇଅକ୍ଷର ପଢ଼ିପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।