କଟକ: ଦୀର୍ଘଦିନ ପରେ ବିଧାୟକ ମହମ୍ମଦ ମୋକିମ ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ଦୁଇଜଣ ଗୋଟିଏ ଦଳରେ ଥିଲେ ସୁଦ୍ଧା ଭିତରେ ଦୁହିଁଙ୍କ ମଧ୍ୟରେ ଏକ ପ୍ରକାର ରାଜନୈତିକ ଶତ୍ରୁତା ଥିଲା । ମାତ୍ର କଟକ ମହାନଗର ନିର୍ବାଚନ ପୂର୍ବରୁ ଦୁହେଁ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭା ହୋଇଥିଲେ । ସୁରେଶ ଚଳିତ ସିଏମ୍ସି ନିର୍ବାଚନରେ ମେୟର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଥିଲା । ଏଥିପାଇଁ ସୁରେଶଙ୍କ ଗୋଷ୍ଟୀ ମଧ୍ୟ ଜୋର୍ଦାର ଉଦ୍ୟମ ଚଳାଇଥିଲେ । ଶେଷରେ ମେୟର ପଦ ପାଇଁ ମୋକିମ୍ଙ୍କ ଅନୁଗତ ଗିରିବାଳା ବେହେରାଙ୍କୁ କଂଗ୍ରେସ ଟିକେଟ ମିଳିଲା ।
ଏଣୁ ସୁରେଶଙ୍କ ଗୋଷ୍ଠୀ ଗିରିବାଳାଙ୍କୁ ଭିତରେ ଭିତରେ ବିରୋଧ କରିବେ ବୋଲି ସହରରେ ଏକ ପ୍ରକାର ଚର୍ଚ୍ଚା ହେଉଥିଲା । ମାତ୍ର ବୁଧବାର ଅପରାହ୍ଣରେ ସୁରେଶଙ୍କୁ ମନାଇବାରେ ମୋକିମ୍ ସଫଳ ହୋଇଥିଲେ । ତେବେ ଏସଂକ୍ରାନ୍ତରେ ସୁରେଶଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଆମ ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । କେବଳ ମିଡ଼ିଆରେ ଏହା ଚର୍ଚ୍ଚା ହୁଏ । ପୌର ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅଶୋକ ସାମଲ,ସିପିଆଇ ଜିଲ୍ଲା ସଂପାଦକ ଅମରେନ୍ଦୁ ମହାନ୍ତି, ନିକୁଞ୍ଜ ପସାୟତ, ବିଶ୍ୱଜିତ ଦାସ, ଶୈଳବାଳା ଜେନାଙ୍କ ସମେତ କଟକ ନଗର କଂଗ୍ରେସର ସମସ୍ତ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଜୁ ଜନତା ଦଳର ସଂଖ୍ୟାଲଘୁ ଉପ-ସଭାପତି ଅଫତାବ ନୁର, ସଂପାଦକ ସେକ ରେହମତ, ମିରାଜୁଲ ହୁସେନୀ, ଅବଦୁର ସୁକୁରଙ୍କ ସମେତ ସଂଖ୍ୟାଧିକ ଅନ୍ୟ ଦଳର କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ତରଫରୁ ମିଶ୍ରଣ ପର୍ବରେ ସାମିଲ ହୋଇଥିବା ବିଜେଡି କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।