19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶସଂସଦରେ ବିରୋଧୀଙ୍କୁ ମୋଦୀଙ୍କ କଡା ଜବାବ; ୨୦୦୪-୨୦୧୪ ସବୁଠୁ କଳଙ୍କିତ ଦଶନ୍ଧି

ସଂସଦରେ ବିରୋଧୀଙ୍କୁ ମୋଦୀଙ୍କ କଡା ଜବାବ; ୨୦୦୪-୨୦୧୪ ସବୁଠୁ କଳଙ୍କିତ ଦଶନ୍ଧି

ବଖାଣିଲେ ୟୁପିଏ ଅମଳର ସବୁ ଦୁର୍ନୀତି
ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଛି ଇଡି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି । ବୁଧବାର ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖିବା ଅବସରରେ ମୋଦୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଅମଳରେ ଘଟିଥିବା ପ୍ରମୁଖ ଦୁର୍ନୀତି ସମ୍ପର୍କରେ ବଖାଣିଛନ୍ତି । ଏହି ଦୁର୍ନୀତି ମଧ୍ୟରେ ୨ଜି ସ୍ପେକ୍ଟ୍ରମ, କୋଇଲା ଖଣି ଉତ୍ତୋଳନ, ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଅନ୍ୟତମ । ଏହି ପରିପ୍ରେକ୍ଷୀରେ ମୋଦୀ ୨୦୦୪-୨୦୧୪ ଦଶନ୍ଧିକୁ ‘ଦି ଲଷ୍ଟ ଡିକେଡ୍‌’ ଆଖ୍ୟା ଦେଇଛନ୍ତି ।

ମୋଦୀଙ୍କ ଭାଷଣ ଆରମ୍ଭ ହେବାମାତ୍ରେ ଗୃହରେ ଉପସ୍ଥିତ ବିରୋଧୀ ଦଳ ସାଂସଦସମାନେ ଅଦାନି ଗ୍ରୁପ୍ ଦୁର୍ନୀତି ପ୍ରସଙ୍ଗକୁ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇପଡି ମୋଦୀ ୨୦୦୪ରୁ ୨୦୧୪ (ୟୁପିଏ ଶାସନକାଳ) ପର୍ଯ୍ୟନ୍ତ ଘଟିଥିବା ସବୁ ଦୁର୍ନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନ ଭାରତର ଏହି ଦଶନ୍ଧି ସବୁଠାରୁ କଳଙ୍କିତ ଥିଲା ବୋଲି ମୋଦୀ କହିଛନ୍ତି । ଏହି ସମୟରେ ଆତଙ୍କବାଦ ଓ ମୁଦ୍ରାସ୍ଫୀତି ଚରମସୀମାରେ ପହଞ୍ଚିଥିବାବେଳେ ଭାରତର ଆନ୍ତର୍ଜାତିକ ଭାବମୂର୍ତ୍ତି ନିମ୍ନଗାମୀ ହେବାରେ ଲାଗିଥିଲା ବୋଲି ସେ ଆକ୍ଷେପ କରିଥିଲେ । ସେତେବେଳେ କେନ୍ଦ୍ର ସରକାର ସବୁ ସୁଯୋଗକୁ ସଙ୍କଟରେ ପରିଣତ କରିଥିଲେ ବୋଲି ମୋଦୀ ଅଭିଯୋଗ କରିଛନ୍ତି । ସେହି କଳଙ୍କିତ ଦଶନ୍ଧିରେ ଭୋଟରମାନେ ଯାହା କରିପାରିନଥିଲେ, ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରି ଦେଖାଇଛି ବୋଲି ମୋଦୀ କହିଛନ୍ତି । ସବୁ ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚରେ ଏକାଠିି କରାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରତ୍ୟେକ ଦୁର୍ନୀତି ତଦନ୍ତ କରି ଇଡି ଦୋଷୀଙ୍କୁ କାଠଗଡାରେ ଛିଡା ହେବାକୁ ବାଧ୍ୟ କରିଥିବା ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ ଅଦାନି ପ୍ରସଙ୍ଗ ନେଇ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ମଲ୍ଲିକାର୍ଜୁନ ଖର୍ଗେ, ମହୁଆ ମୈତ୍ର (ଟିଏମ୍‌ସି) ଏବଂ ମନୋଜ ଝା (ଆରଜେଡି) ପର୍ଯ୍ୟନ୍ତ ବିରୋଧୀ ସାଂସଦମାନେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ । ମଙ୍ଗଳବାର ରାହୁଲ ଗୃହରେ କହିଥିଲେ ଯେ ଅଦାନି ଗ୍ରୁପ୍‌କୁ ସାହାଯ୍ୟ କରିବାକୁ ମୋଦୀ ସରକାର ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି । ଅଦାନିଙ୍କ ସହ ମୋଦୀଙ୍କର କିଭଳି ସମ୍ପର୍କ ରହିଛି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ‘ଅଦାନି’, ‘ଅଦାନି’ ଶବ୍ଦ ଶୁଣିବାକୁ ମିଳୁଥିବାବେଳେ ମୋଦୀ ସରକାର କାହିଁକି ନିରବତା ଅବଲମ୍ବନ କରୁଛନ୍ତି ବୋଲି ରାହୁଲ ଆକ୍ଷେପ କରି କହିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ଅଦାନି ଗ୍ରୁପ୍ ଏତେଗୁଡିଏ ସେକ୍ଟରରେ କିଭଳି ସଫଳତା ହାସଲ କରିପାରିଛି, ତାହା ଦେଶବାସୀଙ୍କୁ ଆଚମ୍ବିତ କରିଥିବା ରାହୁଲ କହିଥିଲେ । ବୁଧବାର କଂଗ୍ରେସ ସଭାପତି ଖର୍ଗେ ମଧ୍ୟ ରାଜ୍ୟସଭାରେ ଅଦାନି ପ୍ରସଙ୍ଗ ଉଠାଇଥିଲେ । ଖର୍ଗେ ଆହୁରି କହିଥିଲେ ଯେ ୨୦୧୪ରେ କ୍ଷମତାକୁ ଆସିବାପରେ ମୋଦୀ ପ୍ରତିଶ୍ରୁତି ଦେଇଥିଲେ ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ । ଅର୍ଥାତ୍ କିଳାପୋତେଇ ଖାଇବିି ନାହିଁ କିମ୍ବା କାହାରିକୁ ଏହା ଖାଇବାକୁ ସୁଯୋଗ ଦେବି ନାହିଁ । ତେବେ ଅଢେଇ ବର୍ଷ ମଧ୍ୟରେ ଅଦାନି ଗ୍ରୁପ୍‌ର ସମ୍ପତ୍ତି ପରିମାଣ ୧୩ ଗୁଣ କିପରି ବଢିଲା ବୋଲି ଖର୍ଗେ ପ୍ରଶ୍ନ ଉଠାଇଛନ୍ତି । ଜବାବରେ ମୋଦୀ କହିଛନ୍ତି ଯେ ତାଙ୍କ ଅମଳରେ ଘଟିଥିବା ବିକାଶ କାର୍ଯ୍ୟ ବିରୋଧିଙ୍କ ଆଖିକୁ ଦେଖାଯାଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking