ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୯ରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମେ’ ୧୯ରୁ ୨୧ ପର୍ୟ୍ୟନ୍ତ ମୋଦୀ ଜାପାନ ଗସ୍ତରେ ଯାଇ ହିରୋସୀମା ସହରରେ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । ମୋଦୀ ସେଠାରୁ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନି ଗସ୍ତରେ ଯିବେ । ମେ’ ୨୨ରେ ପାପୁଆ ନିଉ ଗିନିରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇପିଆଇସି (ଇଣ୍ଡୋ-ପ୍ୟାସିଫିକ୍ ଆଇଲାଣ୍ଡ୍ସ କୋଅପରେସନ) ବୈଠକକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି ।
୨୦୧୪ରେ ଏଫ୍ଆଇପିଆଇସି ଗଠନ କରାଯାଇଥିବାବେଳେ ଏଥିରେ ଭାରତ ସମେତ ୧୪ଟି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ସଦସ୍ୟ ରହିଛନ୍ତି । ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ଲଗ୍ନରେ ମୋଦୀ ମେ’ ୨୨ରୁ ୨୪ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତ କରିବେ । ଅଷ୍ଟ୍ରେଲିଆର ସିଡ୍ନୀ ସହରରେ ଆୟୋଜିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀ ବାତିଲ ହୋଇଥିଲେ ସୁଦ୍ଧା ମୋଦୀଙ୍କ ଏହି ଗସ୍ତ କାଏମ ରହିବ ବୋଲି ଜଣାପଡିଛି ।