ନୂଆଦିଲ୍ଲୀ: ଭାରତ ସରକାର ବର୍ତ୍ତମାନ ଦେଶରେ ମାଣ୍ଡିଆ (ମିଲେଟ୍ସ)ର ଚାହିଦା ବୃଦ୍ଧି କରିବା ସହ ବିଶ୍ୱବ୍ୟାପୀ ଏହାକୁ ଲୋକପ୍ରିୟ କରିବାରେ ଜୋରସୋର ଉଦ୍ୟମ ଚଳାଇଛନ୍ତି । ତେବେ ମାଣ୍ଡିଆ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଚନା କରିଥିବା ଏକ ଗୀତ ବର୍ତ୍ତମାନ ଗ୍ରାମି ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଛି । ସୂଚନାଯୋଗ୍ୟ ‘ଆବ୍ୟୁଡାନ୍ସ ଇନ୍ ମିଲେଟ୍’ ଶୀର୍ଷକ ଏହି ଗୀତକୁ ପ୍ରବାସୀ ଭାରତୀୟ ଗାୟିକା ଫାଲଗୁନି ଶାହ ଓ ତାଙ୍କର ସ୍ୱାମୀ ଗୌରବ ଶାହ ଗାଇଛନ୍ତି । ଚଳିତବର୍ଷ ଜୁନ୍ରେ ଗୀତଟି ରିଲିଜ୍ ହୋଇସାରିଛି ।
ପୂର୍ବରୁ ଗ୍ରାମି ପୁରସ୍କାର ହାସଲ କରିଥିବା ଫାଲଗୁନି ଗତବର୍ଷ ମୋଦୀଙ୍କୁ ଭେଟିବା ଅବସରରେ ମାଣ୍ଡିଆ ଉପରେ ଗୋଟିଏ ଗୀତ ରଚନା କରିବାକୁ ଅନୁରୋଧ କରିଥିଲେ । ମୋଦୀ ମଧ୍ୟ ତାଙ୍କର ଅନୁରୋଧ ରକ୍ଷା କରି ଗୀତ ରଚନା କରିଛନ୍ତି । ଜାତିସଂଘ ତରଫରୁ ୨୦୨୩ରୁ ‘ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ସ’ ଘୋଷଣା କରାଯାଇଛି । ମୋଦୀ ସରକାର ମଧ୍ୟ ମାଣ୍ଡିଆକୁ ପୁଷ୍ଟିଶସ୍ୟଭାବେ ପ୍ରୋତ୍ସାହିତ କରୁଛନ୍ତି । ନିକଟରେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିବାବେଳେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଡିନରରେ ମିଲେଟ୍ ଆଇଟମ୍ ସ୍ଥାନ ପାଇଥିଲା ।