ନ୍ୟୁୟର୍କ: ସଂପ୍ରତି ଆମେରିକା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ଭାରତ ସବୁବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରେ । ନିଜସ୍ୱ ସ୍ୱାର୍ଥକୁ ପଛରେ ପକାଇ ଭାରତ ସବୁବେଳେ ଅନ୍ୟ ରାଷ୍ଟ୍ରର ମଙ୍ଗଳ ଚିନ୍ତା କରିଥାଏ । ଭାରତର ବିକାଶ ଘଟିଲେ, ବିଶ୍ୱର ବିକାଶ ଅବଶ୍ୟମ୍ଭାବୀ ବୋଲି ସେ କହିଛନ୍ତି । ଦୃଢ ଗଣତନ୍ତ୍ର ଯୋଗୁଁ ଭାରତ ଆଜି ବିଶ୍ୱର ଅନ୍ୟତମ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ସବୁ ବିକାଶ କାର୍ଯ୍ୟକ୍ରମ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚିବା ଜରୁରୀ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି ।
ଶକ୍ତିଶାଳୀ ଗଣତନ୍ତ୍ର ଯୋଗୁଁ ବିବିଧତା ମଧ୍ୟରେ ଭାରତର ଏକତା ପ୍ରତିଫଳିତ ହେଉଥିବା ସେ କହିଛନ୍ତି । ତେଣୁ ଯେକୌଣସି ଲକ୍ଷ୍ୟକୁ ହାସଲ କରିବାର କ୍ଷମତା ଗଣତନ୍ତ୍ରର ରହିଛି । ସ୍ୱାଧୀନ ଭାରତର ଇତିହାସକୁ ଅନୁଧ୍ୟାନ କଲେ ବିଶ୍ୱବାସୀ ଏହାର ପ୍ରମାଣ ପାଇପାରିବେ ବୋଲି ସେ କହିଛନ୍ତି । କେବଳ କାଗଜପତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଚାର କରିବା ଅପେକ୍ଷା ଏହାକୁ କାର୍ଯ୍ୟରେ ପ୍ରତିପାଦନ କରିବାକୁ ଭାରତ ସର୍ବଦା ଉଦ୍ୟମ କରିଆସୁଛି । ସମାଜର ସବୁବର୍ଗର ଆବଶ୍ୟକତାକୁ ପୂରଣ କରିବାକୁ ହେଲେ ଗଣତନ୍ତ୍ରର ପରିସୀମାକୁ ବ୍ୟାପ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି । ଭାଷଣ ପ୍ରାରମ୍ଭରେ ମୋଦୀ କୋଭିଡ୍ରେ ପ୍ରାଣ ହରାଇଥିବା ପ୍ରାୟ ୪୮ ଲକ୍ଷ ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । କୋଭିଡ୍ ମହାମାରୀରେ ଜର୍ଜରିତ ରାଷ୍ଟ୍ରଗୁଡିକୁ ମାଗଣାରେ ଟିକା ଯୋଗାଇବା ଭାରତ ସରକାରଙ୍କ ପ୍ରାଥମିକତା ପାଲଟିଥିବା ସେ କହିଛନ୍ତି । କୋଭିଡ୍ ପ୍ରସଙ୍ଗରେ ଦେଶବାସୀଙ୍କ ଆବଶ୍ୟକତା ସାଙ୍ଗକୁ ବିଶ୍ୱବାସୀଙ୍କ ସ୍ୱାର୍ଥକୁ ଭାରତ ସମାନ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।
ଏହି ଅବସରରେ ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ସଂପୃକ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ବିଶ୍ୱର କେତେକ ରାଷ୍ଟ୍ର ଆତଙ୍କବାଦକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଥିବାରୁ ଏହା ଆଗାମୀ ଦିନରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ରାଷ୍ଟ୍ରମାନେ ହୃଦୟଙ୍ଗମ କରିବା ଉଚିତ ଯେ ଯେଉଁ ଆତଙ୍କବାଦକୁ ସେମାନେ ପ୍ରୋତ୍ସାହିତ କରୁଛନ୍ତି, ସେମାନେ ଦିନେ ନା ଦିନେ ଏହାର ଶିକାର ହେବେ । ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ମାଟିରେ ଲସ୍କର-ଇ-ତୋଇବା ଠାରୁ ଆରମ୍ଭ କରି ଜୈସ-ଇ-ମହମ୍ମଦ ଭଳି ଏକାଧିକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା ସେ କହିଛନ୍ତି । ଭାରତରେ ସଂଗଠିତ ଅଧିକାଂଶ ଆତଙ୍କବାଦ ଘଟଣାରେ ଏହି ସଂଗଠନଗୁଡିକ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ଥିବାବେଳେ ଭାରତ ପକ୍ଷରୁ ପାକିସ୍ତାନକୁ ଏହାର ପ୍ରମାଣ ମଧ୍ୟ ଦିଆଯାଉଛି ।
ତେବେ ପାକିସ୍ତାନ ଏଥିପ୍ରତି ତିଳେମାତ୍ର କର୍ଣ୍ଣପାତ କରୁନଥିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି । ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନକୁ ଆବୋଟାବାଦରେ ପାକିସ୍ତାନ ଶରଣ ଦେଇଥିଲା । ତେବେ ଆମେରିକାର ବିଚକ୍ଷଣ ରଣନୀତି ଯୋଗୁଁ ଲାଡେନକୁ ଆମେରିକୀୟ କମାଣ୍ଡୋ ହତ୍ୟା କରିବାରେ ସଫଳ ହୋଇଥିଲେ । ଏଥିରୁ ପାକିସ୍ତାନର ମୁଖା ଖୋଲିଯାଇଥିଲା । ବିଶ୍ୱକୁ ଆତଙ୍କବାଦ ମୁକ୍ତ ରଖିବାରେ ସବୁ ରାଷ୍ଟ୍ର ଏକାଠି ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ମୋଦୀ ତାଙ୍କ ଭାଷଣରେ ଆଫଗାନିସ୍ତାନ ସଙ୍କଟ ସମ୍ପର୍କରେ ମଧ୍ୟ ଆଲୋକପାତ କରିଛନ୍ତି । ତାଲିବାନ ହାତକୁ ଯିବାପରେ ଆଫଗାନିସ୍ତାନରେ ବାସ କରୁଥିବା ସଂଖ୍ୟାଲଘୁଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ବିଶ୍ୱ ପାଇଁ ଏକ ଆହ୍ୱାନ ପାଲଟିଥିବା ସେ କହିଛନ୍ତି ।
ଆଫଗାନିସ୍ତାନ ମାଟିରୁ ଆତଙ୍କବାଦୀମାନେ ଯେପରି ସେମାନଙ୍କ କାର୍ଯ୍ୟକଳାପ ଜାରି ନ ରଖନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ମୋଦୀ କହିଛନ୍ତି । ଚୀନ୍କୁ ଆକ୍ଷେପ କରି ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ବିସ୍ତାରବାଦୀ ନୀତିକୁ କେତେକ ରାଷ୍ଟ୍ର ଆପଣେଇବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ଚୀନ୍ ସାମୁଦ୍ରିକ ଅଞ୍ଚଳକୁ ନିଜ କବ୍ଜାକୁ ଆଣିବାକୁ ତତ୍ପର ହୋଇଉଠିଛି । ବାଣିଜ୍ୟିକ କାରବାରକୁ ପ୍ରୋତ୍ସାହିତ କରିବାକୁ ହେଲେ ସମୁଦ୍ରପଥର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ସମୁଦ୍ରପଥଗୁଡିକୁ ବିସ୍ତାରବାଦୀଙ୍କ ନିୟନ୍ତ୍ରଣରୁ ମୁକ୍ତ ରଖିବା ଜରୁରୀ ବୋଲି ସେ କହିଛନ୍ତି ।