ନୂଆଦିଲ୍ଲୀ: ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ଋଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛନ୍ତି ଭାରତୀୟ ଦୂତାବାସ । ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଉଛି । ଏହା ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ରାତିରେ ପୁଟିନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହୋଇଥିଲେ । ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଥିଲେ । ସମସ୍ୟାର ସମାଧାନ ପାଇଁ ସବୁପକ୍ଷ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରନ୍ତୁ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଭାରତର ଚିନ୍ତା ସମ୍ପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହ ଭାରତୀୟ କିଭଳି ସୁରକ୍ଷିତ ଭାବେ ୟୁକ୍ରେନରୁ ଭାରତକୁ ଫେରିବେ ତାହା ଉପରେ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଆଜି ଆଲୋଚନା ପରେ କ’ଣ ଫଳାଫଳ ବାହାରୁଛି, ତାହା ଦେଖିବାକୁ ବାକି ରହିଲା ।