20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବାଇଡେନ୍‌ଙ୍କ ପରେ ମୋଦୀ-ପୁତିନ୍ ଟେଲିଫୋନିକ୍ ବାର୍ତ୍ତାଳାପ; ୟୁକ୍ରେନ୍ ଗସ୍ତ ସହ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କଲେ...

ବାଇଡେନ୍‌ଙ୍କ ପରେ ମୋଦୀ-ପୁତିନ୍ ଟେଲିଫୋନିକ୍ ବାର୍ତ୍ତାଳାପ; ୟୁକ୍ରେନ୍ ଗସ୍ତ ସହ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କଲେ ଦୁଇ ନେତା

ନୂଆଦିଲ୍ଲୀ/ମସ୍କୋ :  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଜି ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଛି । ଏସମ୍ପର୍କରେ ମୋଦୀ ନିଜେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସ’ରେ ସୂଚନା ଦେଇଛନ୍ତି । ମୋଦୀ କହିଛନ୍ତି, ବନ୍ଧୁ ପୁତିନ୍‌ଙ୍କ ସହ ଫୋନ୍‌ଯୋଗେ କଥାହେବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା । ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ୍ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଏଥିସହ ପୁତିନ୍‌, ତାଙ୍କୁ ୟୁକ୍ରେନ୍ ଗସ୍ତ ସମ୍ପର୍କରେ ପଚାରି ବୁଝିଛନ୍ତି । ସର୍ବୋପରି ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯୁଦ୍ଧ ଭଳି ସମସ୍ୟାର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବାକୁ ଭାରତର ପ୍ରତିବଦ୍ଧତାକୁ ମୋଦୀ ପୁତିନ୍‌ଙ୍କ ସମ୍ମୁଖରେ ଦୋହରାଇଥିବା କହିଛନ୍ତି । ପ୍ରକାଶ, ଦିନକ ପୂର୍ବେ ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଭୟାବହ ଆକ୍ରମଣ-ପ୍ରତିଆକ୍ରମଣ ସଂଘଠିତ ହୋଇଛି । ସେହିପରି ନିକଟରେ ମୋଦୀ, ୟୁକ୍ରେନ୍ ଗସ୍ତ ସାରି ଫେରିଛନ୍ତି । ଏତଦ୍‌ବ୍ୟତୀତ ଦିନକ ପୂର୍ବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ମୋଦୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି । ଏସବୁ ଦୃଷ୍ଟିକୋଣରୁ ଆଜି ମୋଦୀ-ପୁତିନ୍ ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ସୋମବାର ବାଇଡେନ୍‌, ମୋଦୀଙ୍କ ସହ ଟେଲିଫୋନ୍‌ରେ ପୋଲାଣ୍ଡ ଏବଂ ୟୁକ୍ରେନ୍ ଗସ୍ତ ଏବଂ ବାଂଲାଦେଶରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ରୁଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଏବଂ ଭାରତର ଆଭିମୁଖ୍ୟ ସମ୍ପର୍କରେ ବାଇଡେନ୍ ପଚାରି ବୁଝିଥିଲେ । ରୁଷ୍ ଏବଂ ୟୁକ୍ରେନ୍‌କୁ ଯୁଦ୍ଧ ମାର୍ଗ ପରିହାର କରି ଶାନ୍ତିର ବୈଠକ ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରିବାକୁ ମୋଦୀ ଦେଇଥିବା ପରାମର୍ଶ ଏବଂ ୟୁକ୍ରେନ ପାଇଁ ଭାରତର ମାନବିକ ସହାୟତା ତଥା ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମୋଦୀ ନିଜ ପ୍ରତିବଦ୍ଧତା ଦର୍ଶାଇବା ଏକ ବିଶ୍ୱସ୍ତରୀୟ ନେତାଙ୍କ ପ୍ରକୃତ ପରିଚୟ ହେବା ଉଚିତ୍ ବୋଲି କହି ବାଇଡେନ୍ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେହିପରି ବାଂଲାଦେଶରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଏବଂ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶେଷ ଭାବରେ ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଭାରତର ଗୁରୁତ୍ୱାରୋପକୁ ବାଇଡେନ୍ ଉଚ୍ଚ ପ୍ରଶଂସା କରିଛନ୍ତି । ଏତଦ୍‌ବ୍ୟତୀତ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା ହୋଇଥିଲା । ଉଭୟ ନେତା ନିଜ ମତବ୍ୟକ୍ତ କରି କହିଥିଲେ ଯେ ଭାରତ-ଆମେରିକା ସହଭାଗୀତା ଉଭୟ ଦେଶର ଲୋକ ଏବଂ ସମଗ୍ର ମାନବିକତାକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ । ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଉଭୟ ଦେଶ ନିଜ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରକାଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ, ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତ ଏବଂ ବାଂଲାଦେଶରେ ସାମ୍ପ୍ରତିକ ଘଟଣା ଘଟିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଟେଲିଫୋନିକ୍ ବାର୍ତ୍ତାଳାପ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking