23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ; ପ୍ରତିରକ୍ଷା, ଶକ୍ତି ଓ ବ୍ୟାପାର ବୃଦ୍ଧି ପାଇଁ ସହମତି

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ; ପ୍ରତିରକ୍ଷା, ଶକ୍ତି ଓ ବ୍ୟାପାର ବୃଦ୍ଧି ପାଇଁ ସହମତି

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍‌ଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟ ବିଭିନ୍ନ ଦ୍ୱିପାକ୍ଷିକ ସମ୍ବନ୍ଧକୁ ମଜଭୁତ କରିବା ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ନିଜ ନିଜର ମୁଦ୍ରାରେ ବ୍ୟବସାୟ ଆରମ୍ଭ କରିବାକୁ ସହମତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଏ ନେଇ ଶନିବାର ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏହି ବୁଝାମଣା ଫଳରେ ଦ୍ୱିପାକ୍ଷିକ ବ୍ୟାପାର ଏବଂ ନିବେଶକୁ ପ୍ରୋତ୍ସାହନ ମିଳିବ ।

ୟୁଏଇ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ପରେ ମୋଦୀ କହିଛନ୍ତି, ଗତବର୍ଷ ବ୍ୟାପକ ଆର୍ଥିକ ଭାଗିଦାରୀ ବୁଝାମଣା (ସିଇପିଏ) ସ୍ୱାକ୍ଷରିତ ହେବାପରେ ଭାରତ-ୟୁଏଇ ବ୍ୟାପାରରେ ୨୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶେଖ୍ ମହମ୍ମଦ ବିନ୍ ଅଲ୍ ନାହ୍ୟାନ୍‌ଙ୍କ ଠାରୁ ତାଙ୍କୁ ସର୍ବଦା ଭାଇର ସ୍ନେହ ମିଳିଛି । ସେ ୟୁଏଇ ରାଷ୍ଟ୍ରପତିଙ୍କୁ କହିଛନ୍ତି, ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଯେଉଁ ବୃଦ୍ଧି ଘଟିଛି ସେଥିରେ ତାଙ୍କର ବହୁ ବଡ଼ ଯୋଗଦାନ ରହିଛି । ଭାରତର ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ଦେଖିଥାନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ୟୁଏଇରେ ଆୟୋଜିତ ହେବାକୁ ଥିବା ସିଓପି-୨୮ର ପ୍ରସ୍ତୁତି ୟୁଏଇ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ହେଉଛି । ଚଳିତ ବର୍ଷ ହେବାକୁ ଥିବା ଏହି ସମ୍ମେଳନରେ ସାମିଲ ପାଇଁ ମନ ସ୍ଥିର କରିଥିବା ସେ କହିଛନ୍ତି ।

ଶନିବାର ଫ୍ରାନ୍ସରୁ ଆସି ଆବୁଧାବିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଷ୍ଟ୍ରପତି ଭବନ ‘କସର୍ ଅଲ୍ ୱତନ୍‌’ରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତି ନାହ୍ୟାନ୍ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ସଲାମୀ ଗାରଦ୍‌ର ମଧ୍ୟ ନିରୀକ୍ଷଣ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଶିଶୁମାନେ ହାତରେ ତ୍ରିରଙ୍ଗା ଧରିଥିଲେ । କୋଭିଡ୍‌-୧୯ ମହାମାରୀ ବେଳେ ଦୁଇଦେଶ ମଧ୍ୟରେ ଆର୍ଥିକ ଭାଗିଦାରୀକୁ ନୂଆ ଗତି ପ୍ରଦାନ କରିଥିବା ବୃହତ୍ ଆର୍ଥିକ ଭାଗିଦାରୀ ବୁଝାମଣା (ସିଇପିଏ) ସ୍ୱାକ୍ଷରିତ ହୋଇଥିଲା । ଭାରତ ଏବଂ ୟୁଏଇ ବ୍ୟାପାର, ନିବେଶ, ଶକ୍ତି, ଖାଦ୍ୟ ସୁରକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜି, ଶିକ୍ଷା, ଫିନ୍‌ଟେକ୍‌, ପ୍ରତିରକ୍ଷା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ପରି କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଯାତ୍ରା ପୂର୍ବରୁ ଗୁରୁବାର ଟ୍ୱିଟ୍ କରି ଲେଖିଥିଲେ- ‘ମୁଁ ବନ୍ଧୁ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍‌ଙ୍କୁ ଭେଟିବାକୁ ନେଇ ଉତ୍ସାହିତ ।’ ସିଓପି-୨୮ର ଅଧ୍ୟକ୍ଷତା ବେଳେ ୟୁଏଇକୁ ଭାରତ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ୟୁଏଇରେ ହେବାକୁ ଥିବା ଜାତିସଂଘ ଜଳବାୟୁ ସମ୍ମେଳନ ସିଓପି-୨୮’ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ନାସ୍‌ନାଲ୍ ଅଏଲ୍ କମ୍ପାନୀର ଗ୍ରୁପ୍ ସିଇଓ ଡ. ସୁଲ୍‌ତାନ୍ ଅଲ୍ ଜାବେର୍‌ଙ୍କ ସହିତ ପ୍ରଧାନମନ୍ତ୍ରୀ ସାର୍ଥକ ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ଡ. ଜାବେର୍ ପ୍ରଧାନମନ୍ତ୍ରୀଙ୍କୁ ‘ସିଓପି-୨୮’ ସମ୍ପର୍କରେ ସୂଚନା ଦେଇଥିବା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟ୍ୱିଟ୍ କରି ଜଣାଇଛନ୍ତି । ଏହି ସମ୍ମେଳନ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଦୁବାଇରେ ଆୟୋଜିତ ହେବ । ୟୁଏଇରେ ପ୍ରବାସୀ ଭାରତୀୟ ସବୁଠୁ ବଡ଼ ଜାତୀୟ ଗ୍ରୁପ୍ ଏବଂ ଦେଶର ମୋଟ ଜନସଂଖ୍ୟାରେ ସେମାନଙ୍କର ପ୍ରାୟ ୩୦ ପ୍ରତିଶତ ଭାଗିଦାରୀ ରହିଛି । ସେଠାକାର ରେକର୍ଡ ଅନୁସାରେ ଦେଶରେ ପ୍ରବାସୀ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking