ନୂଆଦିଲ୍ଲୀ : ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତର ଦ୍ଵିତୀୟ ଦିନ। ଏହି ଅବସରରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର ଦିଆଯାଇ ଭବ୍ୟ ସ୍ଵାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ବୋରିସ୍ ଜନସନ୍ଙ୍କୁ ସ୍ଵାଗତ କରିଛନ୍ତି। ଏଭଳି ଭବ୍ୟ ଓ ପରମ୍ପରାଗତ ସ୍ଵାଗତ ସମ୍ଵର୍ଦ୍ଧନା ପାଇ ବ୍ରିଟିଶ୍ ପିଏମ୍ ଗଦ୍ଗଦ୍ ହୋଇଯାଇଛନ୍ତି। ତେବେ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ହୋଇଛି। ଦୁଇ ଦିଗଜ ନେତାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ବାର୍ତ୍ତା ହୋଇଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ହୋଇଛି।
ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ମିଳିତ ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି ଯେ, ନରେନ୍ଦ୍ର ମୋର ଖାସ୍ ଦୋସ୍ତ !… ଏହି ଗୁରୁତ୍ଵପୂର୍ଣ୍ଣ ସମୟରେ ଦୁଇ ଦେଶ ନିକଟତର ହୋଇଛନ୍ତି। ଆଜି ଖୁବ୍ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଆଜିର ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିଛି। ଗୁଜୁରାଟରେ ଭବ୍ୟ ସ୍ଵାଗତକୁ ଦେଖି ମୋତେ ସଚ୍ଚିନ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୂଭବ ହେଉଛି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗତ କିଛି ବର୍ଷ ହେଲା ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ସୁଦୃଢ କରିବାରେ ବୋରିସ୍ ଜନସନ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏବେ ଭାରତ ଯେତେବେଳେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତରେ ଉପସ୍ଥିତି ଏକ ଐତିହାସିକ ମୂହୁର୍ତ୍ତ। ପ୍ରଧାନମନ୍ତ୍ରୀ ରୂପରେ ଜନସନ୍ଙ୍କର ଏହା ପ୍ରଥମ ଭାରତ ଯାତ୍ରା ହୋଇଥିଲେ ମଧ୍ୟ ଜଣେ ପୁରୁଣା ବନ୍ଧୁ ରୂପରେ ସେ ଭାରତକୁ ଖୁବ୍ ଭଲ ଭାବରେ ବୁଝନ୍ତି।
ତେବେ ଏହି ଅବସରରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଫ୍ରି ଟ୍ରେଡ୍ ଉପରେ ଆଲୋଚନା ହୋଇଛି। ଜଳବାୟୁ ଏବଂ ଉର୍ଜା ପାର୍ଟନରସିପ୍ ଉପରେ ଅଧିକ କାମ କରିବାକୁ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆମେ ଆଗକୁ ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବୁ। ଭାରତର ରାଷ୍ଟ୍ରୀୟ ହାଇଡ୍ରୋଜେନ୍ ମିଶନରେ ସାମିଲ କରିବା ପାଇଁ ବ୍ରିଟେନ୍କୁ ଆମନ୍ତ୍ରଣ କରାଯାଇଛି। ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ବିପତ୍ତିପୂର୍ଣ୍ଣ ପରିସ୍ଥିତିରେ ଭାରତ ଓ ବ୍ରିଟେନ୍ ନିକଟତର ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢାଇବାକୁ ଚର୍ଚ୍ଚା ହୋଇଛି। ଫାଇଟର୍ ଜେଟ୍ ଟେକନିକ୍ ଠାରୁ ନେଇ ସାମୁଦ୍ରିକ ଟେକନିକ୍ ପର୍ଯ୍ୟନ୍ତ ଭାରତ ସହ ସେୟାର କରିବାକୁ ବୁଝାମଣା ହୋଇଛି।