25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସିଇଓ ରାଉଣ୍ଡ୍ ଟେବୁଲ ବୈଠକରେ ଯୋଗଦେଲେ ମୋଦୀ

ସିଇଓ ରାଉଣ୍ଡ୍ ଟେବୁଲ ବୈଠକରେ ଯୋଗଦେଲେ ମୋଦୀ

ୱାଶିଂଟନ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ସ୍କୁଲ ଅଫ୍ ଇଞ୍ଜିନିୟରିଂର ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ପକ୍ଷରୁ ଆୟୋଜିତ ଏକ ସିଇଓ ରାଉଣ୍ଡଟେବୁଲ ବୈଠକରେ ପ୍ରାୟ ୧୫ଟି ଟେକ୍ନୋଲୋଜି କମ୍ପାନୀ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ, ବାୟୋଟେକ୍ନୋଲୋଜି ଆଣ୍ଡ ଲାଇଫ୍ ସାଇନ୍ସ, କମ୍ପ୍ୟୁଟିଂ, ଆଇଟି ଆଣ୍ଡ୍ କମ୍ୟୁନିକେସନ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଉପରେ ଏହି ଟେକ୍ ରାଉଣ୍ଡ ଟେବୁଲରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଯୁକ୍ତି ବିଦ୍ୟା କିପରି ଭାରତ ସମେତ ସମଗ୍ର ବିଶ୍ୱର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଏହାର ଅଭିବୃଦ୍ଧିରେ ଯୋଗଦାନ କରୁଛି ତାହା ବୁଝିବା ପାଇଁ ଟେକ୍ନୋଲୋଜି କମ୍ପାନୀ ସିଇଓମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଉଦ୍ଭାବନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଉଭୟ ବିଶ୍ୱ ଅର୍ଥନୀତି ଏବଂ ମାନବ ବିକାଶରେ ପରିବର୍ତ୍ତନ ଆଣିବାର ସମ୍ଭାବନା ଥିଲା।
ଏହି ଅବସରରେ ଏମ୍ ଆଇଟି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଏହାର ଡିନ୍‌ଙ୍କୁ ପ୍ରଯୁକ୍ତି ବିଦ୍ୟା ମୁଖ୍ୟଙ୍କୁ ଏକାଠି କରିବାରେ ସେମାନଙ୍କ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀରେ ବୈଷୟିକ ସହଯୋଗ ଏବଂ କ୍ରିଟିକାଲ ଏବଂ ଇମର୍ଜିଂ ଟେକ୍ନୋଲୋଜି (ଆଇସିଇଟି) ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ। ତାଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ପ୍ରୟାସ କରିବ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସହଯୋଗ ଏବଂ ଉଦ୍ଭାବନ ପାଇଁ ଭାରତର ଅଭିବୃଦ୍ଧି କାହାଣୀର ଉପଯୋଗ କରିବାକୁ ସେ କମ୍ପାନୀଗୁଡ଼ିକୁ ଅନୁରୋଧ କରିଥିଲେ। ଏହି ବୈଠକରେ ଗୁଗଲ୍‌ର ସୁନ୍ଦର ପିଚାଇଙ୍କ ଠାରୁ ଆରମ୍ଭ କରି ଆସେଞ୍ଚର କମ୍ପାନୀ ମୁଖ୍ୟ ଜୁଲି ସୁଇଟ୍ ପ୍ରମୁଖଙ୍କ ସହ ମୋଦୀ କଥା ହୋଇଥିଲେ। ମୋଦୀ ଏମାନଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଥିଲେ ଯେ, ଭାରତର ଅର୍ଥନୈତିକ ଏବଂ ବୈଷୟିକ ଉନ୍ନତିକୁ ବିଶ୍ୱ ସମୁଦାୟ ପାଇଁ ମିଳିତ ଭାବରେ ବିକାଶ, ସହ-ଡିଜାଇନ୍ ଏବଂ ସହ-ଉତ୍ପାଦନ ପାଇଁ ଉପଯୋଗ କରାଯାଇପାରିବ। ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ଏବଂ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତୀୟ ବ୍ୟବସାୟୀ ମୁଖ୍ୟଙ୍କ ଅତୁଟ ପ୍ରତିବଦ୍ଧତାକୁ ମୋଦୀ ଦୋହରାଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉତ୍ପାଦନ ସହିତ ସେମିକଣ୍ଡକ୍ଟର, ବାୟୋଟେକ୍ ଏବଂ ସବୁଜ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରଧାନମନ୍ତ୍ରୀ ଭାରତର ଅର୍ଥନୈତିକ ବିକାଶ ଉପରେ ଆଲୋକପାତ କରିଥିଲେ। ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଘୋଷଣା କରିଥିଲେ। ସମସ୍ତଙ୍କ ପାଇଁ ଏଆଇକୁ ସମର୍ଥନ କରିବା ହେଉଛି ଭାରତର ନୀତି, ଏହାକୁ ନୈତିକ ଏବଂ ଦାୟିତ୍ୱବାନ ଢଙ୍ଗରେ ବ୍ୟବହାର କରିବା ଲକ୍ଷ୍ୟ ରଖିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସିଇଓମାନେ ମଧ୍ୟ ଭାରତ ସହ ପୁଞ୍ଜିନିବେଶ ଏବଂ ସହଯୋଗ କରିବାକୁ ଦୃଢ଼ ଇଚ୍ଛା ପ୍ରକାଶ କରିଥିଲେ। ଷ୍ଟାର୍ଟଅପ୍‌ରେ ପୁଞ୍ଜିନିବେଶ ଭାରତରେ ଉଦ୍ଭାବନ ଏବଂ ନୂତନ ଜ୍ଞାନକୌଶଳର ବିକାଶ ପାଇଁ ଏକ ସମନ୍ୱିତ ସୁଯୋଗ ପ୍ରଦାନ କରିବ ବୋଲି ମୋଦୀ ଏମାନଙ୍କୁ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking