17.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦୀ: ୟୁକ୍ରେନ୍‌ରେ ଶାନ୍ତି ପାଇଁ ଅସ୍ତ୍ରବିରତି ଓ କୂଟନୀତି...

ଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦୀ: ୟୁକ୍ରେନ୍‌ରେ ଶାନ୍ତି ପାଇଁ ଅସ୍ତ୍ରବିରତି ଓ କୂଟନୀତି ଜରୁରୀ

ବାଲି : ଇଣ୍ଡୋନେସିଆର ବାଲି ସହରରେ ମଙ୍ଗଳବାରଠାରୁ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ବୈଠକକୁ ସମ୍ବୋଧିତ କରିବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି । ୟୁକ୍ରେନ୍‌ରେ ଶାନ୍ତି ଅବସ୍ଥା ଫେରାଇ ଆଣିବାକୁ ହେଲେ ବିଶ୍ୱ ସମୁଦାୟ ଅସ୍ତ୍ରବିରତି ଓ କୂଟନୀତିର ସହାୟତା ନେବା ଜରୁରୀ ବୋଲି ମୋଦୀ କହିଛନ୍ତି । ଗତ ଶତାବ୍ଦୀରେ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିବାକୁ ମିଳିଥିଲା । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବେମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ । ପରମାଣୁ ଆକ୍ରମଣର ଆତଙ୍କ ବିଶ୍ୱ ସମୁଦାୟକୁ ଉଚିତ ଶିକ୍ଷା ଦେଇଛି । ତତ୍କାଳୀନ ବିଶ୍ୱ ନେତୃବୃନ୍ଦ ଶାନ୍ତି ପ୍ରତିଷ୍ଠା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ ।

ବର୍ତ୍ତମାନ ଏହି ପ୍ରକ୍ରିୟାକୁ ଆଗେଇ ନେବା ଆମ୍ଭମାନଙ୍କର ଦାୟିତ୍ୱ ବୋଲି ମୋଦୀ କହିଛନ୍ତି । ତେଣୁ ୟୁକ୍ରେନ୍‌ରେ ଶାନ୍ତି ଅବସ୍ଥା ଫେରାଇ ଆଣିବାକୁ ହେଲେ ଆମକୁ ଅସ୍ତ୍ରବିରତି ଓ କୂଟନୀତି ଉପରେ ନିର୍ଭର କରିବାକୁ ପଡିବ । କୋଭିଡ୍ ଯୋଗୁଁ ବିଶ୍ୱ ଅର୍ଥନୀତି ପଛୁଆ ହୋଇଯାଇଛି । ତେଣୁ କୋଭିଡ୍ ପରବର୍ତ୍ତୀ ସମୟରେ ଏହା ସଜାଡିବାରେ ସମସ୍ତ ରାଷ୍ଟ୍ର ମିଳିତଭାବେ ଆନ୍ତରିକ ଉଦ୍ୟମ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ନିରାପତ୍ତା ବଜାୟ ରଖିବାକୁ ହେଲେ ଆମକୁ ସଂଘବନ୍ଧଭାବେ କାର୍ଯ୍ୟ କରିବାକୁ ପଡିବ ।

ବୁଦ୍ଧ ଓ ଗାନ୍ଧୀଜୀଙ୍କ ଭଳି ମହାନ ଶାନ୍ତିପ୍ରିୟ ବ୍ୟକ୍ତିତ୍ୱଙ୍କୁ ନେଇ ଭାରତ ସବୁବେଳେ ଗର୍ବିତ । ତେଣୁ ସେମାନଙ୍କର ଶାନ୍ତି ଓ ଅହିଂସା ବାଣୀକୁ କାର୍ଯ୍ୟରେ ପରିଣତ କରିବାର ସମୟ ଉପନୀତ ହୋଇଛି ବୋଲି ମୋଦୀ କହିଛନ୍ତି । ଆସନ୍ତାବର୍ଷ ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ମିଳୁଥିବାବେଳେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଏକ ଆହ୍ୱାନପୂର୍ଣ୍ଣ ବୈଶ୍ୱିକ ପରିବେଶ ମଧ୍ୟରେ ଜି-୨୦ ସମ୍ମିଳନୀ ଆୟୋଜନ କରିଥିବାରୁ ମୋଦୀ ପ୍ରଥମେ ଇଣ୍ଡୋନେସିଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି କୋଭିଡ୍ ମହାମାରୀ, ୟୁକ୍ରେନ୍‌ରେ ଯୁଦ୍ଧ ପରିସ୍ଥିତି ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ସମସ୍ୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଥିବା ସେ କହିଛନ୍ତି ।

ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଗରିବ ରାଷ୍ଟ୍ରଗୁଡିକ ମୁଖ୍ୟତଃ ଏଭଳି ପରିସ୍ଥିତିର ଶିକାର ପାଲଟୁଥିବାବେଳେ ସେଠାକାର ନାଗରିକଙ୍କ ଦୈନନ୍ଦିନ ଜୀବନଶୈଳୀ ବିପର୍ଯ୍ୟସ୍ତ ହୋଇପଡିଛି । ଆର୍ôଥକ ଅନଟନ ଯୋଗୁଁ ସେମାନେ ଏହାର ମୁକାବିଲା କରିବାରେ ଅସମର୍ଥ ହେଉଛନ୍ତି । ଜାତିସଂଘ ସମେତ ବିଶ୍ୱର ଅଧିକାଂଶ ବିକଶିତ ରାଷ୍ଟ୍ର ମଧ୍ୟ ସେମାନଙ୍କୁ ଏହି ସମସ୍ୟା ଜାଲରୁ ମୁକୁଳାଇବାରେ ବିଫଳ ହୋଇଥିବା ମୋଦୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟ ଜି-୨୦ ସମ୍ମିଳନୀରୁ ବହୁତ କିଛି ଆଶା କରୁଛି । ଏହି ସଂଗଠନର ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଛି । କୋଭିଡ୍ ସମୟରେ ଭାରତ ବିଭିନ୍ନ ରାଷ୍ଟ୍ରର ୧୦୩ କୋଟି ଲୋଙ୍କ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଇଥିଲା । ତେବେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରସଙ୍ଗରେ ସାର ଅଭାବ ଏହି ସଙ୍କଟକୁ ଦ୍ୱିଗୁଣିତ କରିପାରେ ବୋଲି ମୋଦୀ ଚେତାବନୀ ଦେଇଛନ୍ତି । ତେଣୁ ଜି-୨୦ ରାଷ୍ଟ୍ରସମୂହ ଏହି ପ୍ରସଙ୍ଗରେ ମିଳିତଭାବେ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking